ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କ ରଥର ଚକ ଅଖ ସଂଯୋଗ ପରେ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଚି। ରଥଖଳାରେ ତିନିରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅଖ କାଠ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି । ତାଳଧ୍ୱଜ ରଥର ୯ ମ ଚକ ନିର୍ମାଣ ଶେଷ ହୋଇ ଥିବା ବେଳେ ୧୦ମ ଏବଂ ୧୧ ତମ ଚକରେ ପଇ ପିନ୍ଧା ଶେଷ ହୋଇ ପଇ କଳଶା କାର୍ଯ୍ୟ ହେଅଛି । ଏଥି ସହ ତାଳଧ୍ୱଜ ରଥର ୪ ଗୋଟି ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହଛି । ଦର୍ପଦଳନ ରଥର ୯ ମ ଚକର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଚକ ରେ ପଇପିନ୍ଧା କାର୍ଯ୍ୟ ହୋଇଅଛି । ଏଥିସହ ୪ଟି ଚଉତା କାଠର ଚଉପଟ ଶେଷ ହୋଇ ଆଉ ୪ ଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀରହିଛି । ନନ୍ଦିଘୋଷ ରଥର ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ୪ ଗୋଟି ଚକରେ ପଇ ପିନ୍ଧା ସରି କଳଶା କାର୍ଯ୍ୟ ବାକି ରହିଛି । ଏଥିସହ ନନ୍ଦିଘୋଷ ରଥର ୪ଟି ଚଉତା କାଠର ଚଉପଟ ପରେ ଆଉ ୪ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି। ଦୋଳବେଦୀ ଠାରେ ତାଳଧ୍ଵଜ ରଥ ର ପୋଲଗୟଳ ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ୱ ଚିତା କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି। ଏହା ର ଚିରଟ କାର୍ଯ୍ୟ ଆରମ୍ଭ ହେବ ।ଭୋଇ ସେବକ ମାନେ ଭୋଇ ସର୍ଦାର ରବି ଭୋଇ ଙ୍କ ନେତୃତ୍ବର ତିନିରଥର ମୋଟ ୪୨ ଚକ ପାଇଁ ଆବଶ୍ୟ ୪୨ ଗୋଟି ତୁମ୍ବ ରୁ ୩୯ ଗୋଟି ତୂମ୍ବର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ପନ୍ଦାରି ନିର୍ମାଣ ପରେ ତିନିରଥ ପାଇଁ ୮” ଇଁଚିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ତିନିରଥର ରୂପକାର ସେବକ ମାନେ ତିନିରଥର ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି ।