ନିଶ୍ଚିନ୍ତକୋଇଲି ( ସଂଘର୍ଷ ମିଡିଆ ) : ବଡ଼ ବିଚିତ୍ର ଏଇ ଦୁନିଆଁ ! ମଣିଷ କେଉଁଠି ଜନ୍ମନେବ ଆଉ କେଉଁଠି ତା’ ଜୀବନର ଶେଷ ଚିତା ଜଳିବ, ସବୁ ଯେମିତି ବିଧି ନିର୍ଦ୍ଦେଶ ! ଏମିତି ଏକ ଅପ୍ରତ୍ୟାଶିତ ଘଟଣା ପାଇଁ ଆଜି ନିଶ୍ଚିତକୋଇଲି ସଚେତନ ନାଗରିକ ମଞ୍ଚ ଏବଂ ନିଶ୍ଚିନ୍ତକୋଇଲି ପୋଲିସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି l ବର୍ଷ ବର୍ଷ ଧରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଆଖପାଖରେ ଘୁରିବୁଲୁଥିବା ଜଣେ ଅପରିଚିତ ଲୋକଟିର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି l ନାଁ ‘ କେହି ତାଙ୍କୁ ଚିହ୍ନନ୍ତି ନାଁ ‘ ତାଙ୍କ ଠିକଣା କାହା ପାଖରେ ଅଛି ? ଲମ୍ବା ଦାଢ଼ି ଓ କେଶ ରଖି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ନିକଟରେ ଏହି ଅପରିଚିତ ଲୋକଟିକୁ ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ, ରାସ୍ତା କଡ଼ରୁ ଉଦ୍ଧାରକରି ତାଙ୍କ ଚୁଟି, ଦାଢ଼ି କାଟି, ନୂଆ ବସ୍ତ୍ର ଦେଇ, ଅନେକ ସମୟରେ ଖାଦ୍ୟ ପେୟ ଦେବା ନଜରକୁ ଆସିଥିଲା l କିନ୍ତୁ ଗତ 11 ତାରିଖ ଦିନ କୌଣସି ଏକ ଅଜଣା ଗାଡି ଏହି ଅସହାୟ ଲୋକଟିକୁ ଧକ୍କା ଦେବାରୁ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l “ମାନବ ସେବା ହିଁ ମାଧବ ସେବା” ଏହି ଉକ୍ତିକୁ ପାଥେୟ କରି “ସଚେତନ ନାଗରିକ ମଞ୍ଚ” ନିଶ୍ଚିନ୍ତକୋଇଲିର ସଭାପତି ମନୋଜ ମଲ୍ଲିକ, ସମ୍ପାଦକ ଜାନକୀ ଦାସ, କୋଷାଧକ୍ଷ ସୁଭାଶିଷ ବସନ୍ତରାୟ କଟକ ବଡଡାକ୍ତରଖାନାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଇଥିଲେ l ଏହାପରେ ସ୍ଥାନୀୟ ଥାନା ଆଇଆଇସି ଶୁଭ୍ରାଂଶୁ ପରିଡା ଏବଂ ମହିଳା ଇନିସ୍ପେକ୍ଟର ମଧୁସ୍ମିତା ବେହେରାଙ୍କ ସହିତ ସାମିଲ ହୋଇ ଚିତ୍ରୋତ୍ପଳା ନଦୀ ହରିବଳିଆ କୁଦ ସ୍ମଶାନରେ ମୃତକର ଅନ୍ତିମ ସଂସ୍କାର କରାଇବା ଦେଖିବାକୁ ମିଳିଥିଲା l