ପୁରୀ(ସଂଘର୍ଷ ମିଡିଆ) : – ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ତାଳଧ୍ୱଜ ରଥର ଡାହୁକ ମାଧବ ପ୍ରଧାନ । ଗତ ମାସରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଧରି ଜୀବନ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତେବେ ଆର୍ଥିକ ସାହାଯ୍ଯ ସହଯୋଗ ଅଭାବରୁ ତାଙ୍କର ଉନ୍ନତମାନର ଚିକିତ୍ସା ହୋଇ ନପାରି ସେ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆଜି ଅପରାହ୍ନରେ ତାଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତ ମାସରେ ବୀରହରେକୃଷ୍ଣପୁର – ମଙ୍ଗଳାଘାଟ ବାଇପାସ ରାସ୍ତାରେ ଏକ ବାଇକ ଯୋଗେ ସେ ପଛରେ ବସିକି ଯିବା ସମୟରେ ଗୋଟିଏ କାର ପଛପଟୁ ଆସି ଧକ୍କା ଦେଇଥିଲା। ଯାହାଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାଧବ ପ୍ରଧାନ ବଡ଼ଠାକୁରଙ୍କ ଡାହୁକ ଥିଲେ।