ଝାଡ଼ାବାନ୍ତିରେ( ହଇଜା) ଗଡୁଛି ମୁଣ୍ଡ, ଚିକିତ୍ସକ ଦଳଙ୍କ ୨୪ ଘଣ୍ଟା ଡ୍ୟୁଟି, ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ଯଶିପୁର ଗ୍ରାମର ମୁଣ୍ଡା ସାହିରେ ହଇଜା ସଂକ୍ରମଣ ପରେ ଆଖ ପାଖ ସାହି ଓ ଗ୍ରାମକୁ ବ୍ୟାପୁଥିବା ସୂଚନା। ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଯଶିପୁର ଗ୍ରାମ ମୁଣ୍ଡା ବସତି ରେ ପ୍ରଥମ ଭାବେ ସଂକ୍ରମିତ ହୋଇଥିବା ୫ ବର୍ଷ ବୟସ୍କ ନାବାଳକ ଚିକିତ୍ସା ପାଇଁ ଧାଁ ଦୌଡ କରୁଥିବାବେଳେ ମୃତ୍ୟୁ ବରଣ କରିଥିଲା ସେହି ସମୟରେ ମାଆ ଓ ଝିଅ ମଧ୍ୟ ସଂକ୍ରମିତ ହୋଇ ଗୁରୁତର ହୋଇ ପଡିବା ଭଳି ଦୁଃଖଦ ଓ ଚିନ୍ତା ଜନକ ଘଟଣା ଥିଲା। ତେବେ ଏହି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ ସତର୍କତା ଅବଲମ୍ବନ କରିଥିଲେ। ଏବଂ ୨୫’ ତାରିଖ ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ର ଏକ ଚିକିତ୍ସକ ଓ ଗବେଷକ ଦଳ ଉକ୍ତ ଗ୍ରାମରେ ପହଞ୍ଚି ରୋଗିଙ୍କୁ ଚିହ୍ନଟ କରି ଚିକିତ୍ସା ବ୍ୟବସ୍ଥା କରିବା ସହ ଗୁରୁତର ରୋଗୀ’ଙ୍କୁ ଡାକ୍ତରଖାନା ପଠାଇଥିଲେ। ସେଠାରେ ୩୦ରୁ ଉର୍ଦ୍ଧ ହଇଜା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ ସଂକ୍ରମିତଙ୍କୁ ଡାକ୍ତରଖାନା ପଠା ଯାଇଥିଲା। ତତ୍ ସହିତ ଚିକିତ୍ସକ ଦଳ ୨୪’ ଘଣ୍ଟା ଉପସ୍ଥିତ ରହି ସ୍ଥିତି ଉପରେ ଲକ୍ଷ ରଖିବା ସହ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରା ଯାଇଥିଲା। ତେବେ କିଛି ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରୁଥିବା ବେଳେ ନୂତନ ଭାବେ ସଂକ୍ରମିତ ହେଉଥିବା ଗୁରୁତର ବ୍ୟକ୍ତି’ଙ୍କୁ ଡାକ୍ତରଖାନା ପଠା ଯାଉଛି। ଇତି ମଧ୍ୟରେ ଗତକାଲି ୨୭ ତାରିଖ ଜଣେ ବୃଦ୍ଧ ବ୍ୟକ୍ତି ମୃତ୍ୟୁ ବରଣ କରିବାବେଳେ ଆଜି ଜଣେ ବୃଦ୍ଧା ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ହସ୍ତଗତ ହୋଇଛି। ଗୋଉଡସାହି ବସତି ର ଅନ୍ୟ ଜଣେ ୨୫ ବର୍ଷ ବୟସ୍କା ବିବାହିତା ମହିଳା କବିତା ନାଏକ (ଦାଦନ ଶ୍ରମିକ) ଭୂବନେଶ୍ବରରେ ମୃତ୍ୟୁ ବରଣ କରିଥିବାବେଳେ ବିପିଏଲ୍ ଚାଉଳ ନେବାକୁ ଆସି ସଂକ୍ରମିତ ହୋଇ ଭୂବନେଶ୍ବର ଫେରି ଯାଇଥିଲେ ଏବଂ ସେଠାରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଗତକାଲି ମୃତ୍ୟୁ ବରଣ କରିଥିବା ନେପାଳ ମୁଣ୍ଡା (୮୦) ଙ୍କୁ ୨୪ ତାରିଖ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ପୁଅ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ ଏବଂ ବାରିପଦା ପିଆରଏମ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଉଥିବାବେଳେ ବାରିପଦା ନଯାଇ ଗୁରୁତର ନେପାଳ ମୁଣ୍ଡାଙ୍କୁ ଘରକୁ ନେଇ ଆସିଥିଲେ ଫଳରେ ସେ ଗତକାଲି ଯଶିପୁର ଡୁଙ୍ଗରି ସାହି ବସତିରେ ମୃତ୍ୟୁ ବରଣ କରିଥିଲେ। ସେହିପରି ଆଜି ଶବ ସତ୍କାର କରାଯାଇଥିବା ଯଶିପୁର ଗୋଉଡସାହିର ଗୁରୁବାରୀ ବାରିକ (୬୦)’ଙ୍କୁ ଗତକାଲି ୨୭ ତାରିଖ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ରାତି ୧୧.୩୦ ମିନିଟ ସମୟରେ ମୃତ୍ୟୁ ବରଣ କରିଥିବା ପରିଜନ’ଙ୍କ ପକ୍ଷରୁ ସୂଚନା ହସ୍ତଗତ ହୋଇଛି। ତେବେ ଗୁରୁବାରୀ’ଙ୍କ ପରିଜନ ମଧ୍ୟ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆଣିଛନ୍ତି। ହଇଜା ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ମୋଟ ୪’ ଜଣ ମୃତ୍ୟୁ ବରଣ କରିଥିବା ବେଳେ ନିଜ ଘରେ ମୃତ୍ୟୁ ବରଣ କରିଥିବା ନେପାଳ ମୁଣ୍ଡା ଓ ଭୂବନେଶ୍ବରରେ ମୃତ୍ୟୁ ବରଣ କରିଥିବା କବିତା ନାଏକ’ଙ୍କୁ ବାଦ୍ ଦେଇ ବର୍ତ୍ତମାନ ୨ ଜଣ ହଇଜା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ ହଇଜାରେ ସଂକ୍ରମିତ ହୋଇଥିବା ବେଳେ ନିକଟସ୍ଥ ସୂରଦା ଗ୍ରାମରେ ମଧ୍ୟ ଜଣେ ଦୁଇଜଣ ସଂକ୍ରମିତ ମିଳିଥିବାରୁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରି ଆଖପାଖ ଲୋକଙ୍କୁ ପ୍ରତିରୋଧକ ଔଷଧ ପ୍ରଦାନ କରା ଯାଇଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More