ପୁରୀ(ସଂଘର୍ଷ ମିଡିଆ) : – ବିପର୍ଯ୍ୟୟ ସୂଚନା ଦେଇ ଆସେ ନାହିଁ। କିନ୍ତୁ ଆମର ପୂର୍ବ ପ୍ରସ୍ତୁତି ଓ ସଚେତନତା ତାହାର କ୍ଷୟକ୍ଷତିକୁ ବହୁତ କମାଇବା ସହ ମୂଲ୍ୟବାନ ଜୀବନକୁ ରକ୍ଷା କରିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଭାବ ହ୍ରାସରେ ଲିଙ୍ଗଗତକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସମ୍ପର୍କରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ବିପର୍ଯ୍ୟୟରେ ସମସ୍ତ ବର୍ଗ କ୍ଷତି ଗ୍ରସ୍ତ ହୁଅନ୍ତି। ତେବେ ଉଦ୍ଧାର ଓ ଥଇଥାନ ସମୟରେ ଶିଶୁ, ମହିଳା, ବୟସ୍କ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଲେ ସେମାନଙ୍କର ଅସୁବିଧା ହେବ ନାହିଁ।ମହିଳା କର୍ମଚାରୀ, ମହିଳା ସ୍ୱଛାସେବୀ ଙ୍କ ପାଖରେ କ୍ଷତିଗ୍ରସ୍ତ ମହିଳାଟି ଯେପରି ସହଜ ଓ ସ୍ୱଛନ୍ଦ ଭାବେ ନିଜ ସମସ୍ୟା ଜଣେଇ ପାରିବ ଜଣେ ପୁରୁଷ ଅଧିକାରୀ ପାଖେ କରିପାରିବ ନାହିଁ।ଏଥିପାଇଁ ପ୍ରତ୍ୟେକ ସ୍ତରରେ ସଚେତନ କରିବା ଉଚିତ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ ୧୯୯୯ ମହାବାତ୍ୟା ପରେ ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି ହାସଲ କରିଛି।ସମଗ୍ର ବିଶ୍ୱ ରେ ଓଡିଶା ମଡେଲ ପ୍ରଶଂସିତ ହୋଇଛି ବୋଲି କହିବା ସହ ବିପର୍ଯ୍ୟୟ ସମୟରେ ଲିଙ୍ଗଗତ ସୁବିଧା ପାଇଁ ପ୍ରତ୍ୟେକଙ୍କୁ ସଚେତନ ଓ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ। ଜଏଣ୍ଟ ଏସ ଆର ସି ଲିପିକା ଦାସ ବିପର୍ଯ୍ୟୟକୁ ମୁକାବିଲା ସହ ବିଭିନ୍ନ ବର୍ଗ ଓ ଲିଙ୍ଗଗତ ହିସାବରେ ସୁବିଧା ଯଥା ଶୌଚାଳୟ, ରହିବା ସ୍ଥଳ,ଗର୍ଭବତୀ ମା ମାନଙ୍କ ସୁବିଧା ବ୍ୟବସ୍ଥା କରାଗଲେ ତାହା ଅଧିକ ଉପାଦେୟ ହୋଇ ପାରିବ ବୋଲି କହିଥିଲେ। ଓସଡାମାର ଜେଣ୍ଡର ବିଶେଷଜ୍ଞ ଆରନ୍ୟକ ମିଶ୍ର ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏ ସମସ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ପରିଚାଳନା ପ୍ଲାନ ରେ ସ୍ଥାନିତ କରି ପଦକ୍ଷେପ ନେବା ସହ ତୃଣ ମୂଳ ସ୍ତରରୁ ଏହାର ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏ ଡି ଏମ ଓ ଡା ବିରଜା ଶଙ୍କର ରଥ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଡିପିଏମ ଟି ନାରାୟଣ ରାଓ,ମିଶନ ଶକ୍ତି ର ଜିଲ୍ଲା ସଂଯୋଜିକା ଆରତୀ ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଆଶୁତୋଷ ଦେ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣ ସମ୍ବନ୍ଧରେ ସୂଚନା ଦେଇଥିଲେ।ଡିପିଓ ସୁକାନ୍ତ କୁମାର ଦାଶ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ସମୁଦ୍ର ଉପକୂଳ ପୁରୀ ଜିଲ୍ଲାର ୬ ଟି ବ୍ଲକ ଓ ୬ ଟି ପଞ୍ଚାୟତ ରେ ୧୪ଟି ଆଶ୍ରୟ ସ୍ଥଳ ରହିଛି ।ଏଗୁଡିକ ହେଲା କୃଷ୍ଣ ପ୍ରସାଦ ବ୍ଲକ ବଡଝାଡ ପଞ୍ଚାୟତରେ ୪ ଟି,ବ୍ରହ୍ମଗିରି ବ୍ଲକ ଆମ୍ବପଡା ପଞ୍ଚାୟତର ୪ ଟି,କାକଟପୁର ବ୍ଲକ ଜଳେଶ୍ବରପଡା ଓ ଅସ୍ତରଙ୍ଗ ବ୍ଲକ ଶିଶୁଆ ପଞ୍ଚାୟତରେ ୨ଟି ଲେଖାଏଁ, ପୁରୀ ସଦର ବ୍ଲକ ସମଙ୍ଗ ପଞ୍ଚାୟତ ଓ ଗୋପ ବ୍ଲକ ତରାକୋଟ ପଞ୍ଚାୟତ ର ୧ ଟି ଲେଖାଏଁ ଆଶ୍ରୟ ସ୍ଥଳ ରହିଛି ବୋଲି ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱଛାସେବୀ, ଆପଦ ମିତ୍ର ମାନେ ଯୋଗ ଦେଇଥିଲେ।
Get real time updates directly on you device, subscribe now.
Prev Post
ପୁରୀ ମୁନିସିପାଳିଟି ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନି ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ
Next Post