ଗଜପତି (ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କର୍ତ୍ତବ୍ୟରତ ସାମ୍ବାଦିକ ପହଞ୍ଚି ଥିଲେ। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ବାଲେଶ୍ଵର ଜିଲ୍ଲା ସ୍ଥିତ ନୀଳଗିରି ଥାନା ପୋଲିସ ସେଠାକାର ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଲୋକ ନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ ପକ୍ଷରୁ ଯେଉଁ ଭଳି ଅତ୍ୟାଚାର କରାଗଲା ଏବଂ ଗୋଡ଼ରେ ବେଡି ପକାଇବା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ।ଆଗରୁ ମଧ୍ୟ ଅନେକ କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରିବା ଏବଂ ନିର୍ଯ୍ୟାତନା ଦେବା ଘଟଣାର ଅନେକ ନଜର ରହିଛି।ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ତେଣୁ ନୀଳଗିରି ଘଟଣାର ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦାବିରେ ଓଡ଼ିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଜିଲ୍ଲା ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପସଭାପତି ସରୋଜ ବୀର, କୋଷାଧ୍ୟକ୍ଷ ବାସୁଦେବ ଦାସଙ୍କ ସମେତ ରୂପେଶ ସାହୁ,ବିଜୟ ଗୌଡ଼,ସୁଜିତ ବିଷୋୟୀ, ବିବେକାନନ୍ଦ ବେହେରା, ରାମ ଗୋବିନ୍ଦ ଆଚାର୍ଯ୍ୟ, ଶ୍ରୀକାନ୍ତ ମହାରଣା,କୁନା ପାରିଚ୍ଛା, ଜିତେନ୍ଦ୍ର ବାରିକ,ପ୍ରଭାତ ପାତ୍ର, ହରିହର ପଟ୍ଟନାୟକ,ପ୍ରମୁଖ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ନିଜର ଦାବି ଜଣାଇବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।