ନବରଙ୍ଗପୁର ( ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର କରି ରାଇଘର ଅଞ୍ଚଳର ୪ଜଣ ଯୁବକ ନିଜ ବାଇକ ଯୋଗେ ଲେ ଓ ଲଦାକ୍ ପରିକ୍ରମା କରି ଫେରିଆସି ଏକ ଇତିହାସ ସୃଷ୍ଟି କରିଥିବା ଜଣାପଡିଛି l ଏଥିପୂର୍ବରୁ ଜିଲ୍ଲାରୁ ବହୁ ଲୋକ ଲେ ଓ ଲଦାକ୍ ବୁଲି ଆସିଛନ୍ତି ସତ କିନ୍ତୁ ନିଜସ୍ବ ବାଇକ ନେଇ ଏତେ ବାଟ ଅତିକ୍ରମ କରି ଫେରିଆସିବା ଘଟଣା ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ହୋଇଥିବାରୁ ରାଇଘର ଅଞ୍ଚଳବାସୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସୂଚନା ଅନୁଯାୟୀ ରାଇଘରର ଅଭିଜିତ ସାହା , ସତ୍ୟ ସାହା , ଗୁଲ୍ସନ୍ ସାହୁ ଓ ବିଜୟ ଗଉଡ଼ ନିଜ ନିଜ ବାଇକ ନେଇ ଗତ ୮ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ରାଇଘରରୁ ଲେ ଓ ଲଦାକ୍ ଅଭିମୁଖେ ବାହାରି ପଡିଥିଲେ l ପ୍ରଥମେ ସେମାନେ ଛତିଶଗଡର ରାୟପୁର ଓ ପରେ ସେଠାରୁ ଦିଲ୍ଲୀ ଯାଇଥିଲେ l ଦିଲ୍ଲୀରୁ ସେମାନେ ମନାଲୀ ଓ ମନାଲୀରୁ ଲେ ପହଞ୍ଚିଥିଲେ l ସେମାନେ ଦୁଇ ତିନି ଦିନ ଧରି ଲେ ଓ ଲଦାକ୍ ଅଂଚଳ ପରିଭ୍ରମଣ କରିଥିଲେ | ସେଠରେ ଥିବା ଦେଶର ସବୁଠାରୁ ଉଚ୍ଚତମ ପର୍ବତ ଖାଦୁମ୍ଲା କୁ ଯାଇଥିଲେ l ସମୁଦ୍ର ପତନ ଠାରୁ ପ୍ରାୟ ୧୮ ହଜାର ୩୭୯ ଫୁଟ ଉଚ୍ଚତା ବିଶିଷ୍ଟ ଏହିି ଖାଦୁମ୍ଲା ପର୍ବତ ରେ ସେମାନେ ରାତି କଟାଇଥିଲେ l ପରେ ସେମାନେ ସେଠାରୁ ନୁବୁରାବିଲି ଜିଲ୍ଲାର ହାଣ୍ଡର୍ , ଦୀକ୍ଷିତି ଓ ପେଙ୍ଗମ୍ ହ୍ରଦ ବୁଲି ଥିଲେ l ଏ ସବୁ ସ୍ଥାନ ବୁଲିବା ପରେ ସେମାନେ ନୁବୁରାବିଲି ଜିଲ୍ଲାରୁ କାର୍ଗିଲ୍ କୁ ଯାଇଥିଲେ l କାରଗିଲ୍ ରୁ ଫେରି ଲୁଧିଆନା ଓ ଲୁଧିଆନାରୁ ଝାନ୍ସୀ ଓ ପରେ ମହାରାଷ୍ଟ୍ରର ବାଲାଘାଟକୁ ଆସିଥିଲେ l ବାଲାଘାଟରୁ ବାହାରି ସେମାନେ ଆଜି ଦିନ ୨ଟା ସମୟରେ ରାଇଘର ପହଞ୍ଚି ଥିଲେ l ଦୀର୍ଘ ୫ ହଜାର କିଲୋମିଟର ଯାତ୍ରା ଅତିକ୍ରମ କରି ଫେରିଥିବା ଏହିି ୪ ଜଣ ଯୁବକଙ୍କୁ ରାଇଘର ବହୁ ଯୁବଗୋଷ୍ଠୀ ଏକ ଶୋଭାଯାତ୍ରା ରେ ପାଛୋଟି ନେଇଥିଲେ l ସୂଚନା ଥାଉକି ଯୁବକ ମାନଙ୍କ ଏହି ଲେ ଓ ଲଦାକ୍ ଯାତ୍ରା କରିବା ପଛରେ ସେମାନଙ୍କ ଏକ ୟୁଟ୍ୟୂବ ଚ୍ୟାନେଲ ରେ ଏକ ଡକୁମେଣ୍ଟାରି ଭିଡିଓ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ରହିଥିଲା | ଏଥି ସହିତ ବାଇକ ଚାଳନା ସମୟରେ ମଦ୍ୟପାନରୁ ନିବୃତ ରହିବା ଏବଂ ହେଲ୍ମେଟ୍ ବ୍ୟବହାର କରି ସୁରକ୍ଷାପୂର୍ଣ୍ଣ ବାଇକ ଚାଳନା କରିବା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ସେମାନଙ୍କ ଆଉ ଏକ ପ୍ରୟାସ ରହିଥିଲା | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।