ଜାମଦା ବ୍ଳକ ଜଟାପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୪ ଗୁରୁତର

15

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଆସିଗଲା ହାଡ଼ଭଙ୍ଗା ଶିତ । ବିଲରେ ପାଚିଲାଣି ଧାନ । ଜୀବଜନ୍ତୁ ଏବେ ଗାଁ ମୁହାଁ । ବର୍ତ୍ତମାନ ମଣିଷ/ପଶୁ ମଧ୍ୟରେ ଲଢେ଼ଇ ଆରମ୍ଭ ହେଲାଣି । ସବୁ କ୍ଷେତ୍ରରେ ମଣିଷର ହେଉ ଅଭାବନୀୟ କ୍ଷତି ।କିଏ ମରୁଛି ତ କିଏ ଅଧାଖଣ୍ଡିଆ ତ କିଏ ଆଜୀବନ ଭିନ୍ନକ୍ଷମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଵହଳଦା ବନାଞ୍ଚଳ ଅଧିନସ୍ଥ ଜାମଦା ରେଞ୍ଜର ଜଟାପାଣି ଗାଁ ନିକଟ ନଦୀ ପାଖରେ ଜଟାପାଣି ଗ୍ରାମର ପଲାଇ ହେମ୍ବ୍ରମ ନାମକ ଜଣେ ପରିବାଚାଷୀ ବୁଧବାର ଦିନ ସକାଳୁ ୮.୧୦ ପରିବା ଚାଷ ଜମିରେ କାହ୍ନୁ ନଦୀରୁ ପାଣି ମଡାଇବାକୁ ଯାଇଥିବାବେଳେ ଏକ ଭାଲୁ ସହିତ ମୁହାଁମୁହିଁ ହେବା ଫଳରେ ଭାଲୁଟି ଆକ୍ରମଣ କରିଥିଲା ।ପଲାଇ ଏବଂ ଭାଲୁ ମଧ୍ୟରେ ଭିଡା ଭିଡି ଓ ଧରାଧରି ହୋଇଥିଲା।ଭାଲୁ ପଲାଇର‌ ହାତ, ଗୋଡ଼ ,ଜଙ୍ଘକୁ କାମୁଡି ଆମ୍ପୁଡି ରକ୍ତାକ୍ତ କରିଥିଲା ।ପଲାଇ ମଧ୍ୟ ଜୀବନକୁ ପାଣି ଛଡାଇ ଭାଲୁକୁ ଜବରଦସ୍ତ ଭିଡ଼ି ଧରିଥିଲା ।ଶେଷରେ ଭାଲୁ ତାଙ୍କୁ ରକ୍ତାକ୍ତ କରି ଛାଡ଼ି ପଳାଇଥିଲା । ଗାଁ ଲୋକେ ପଲାଇର ଆର୍ତ୍ତ ଚିତ୍କାର ଶୁଣି ପହଞ୍ଚି ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ସେହିଭଳି ସାଗଯୋଡି ଗ୍ରାମର ଦରଗା ଵିରୁଆ ଏବଂ ତାଙ୍କ ସ୍ତ୍ରୀ ସୋମବାରି ଵିରୁଆ ଛେଳି ଚରାଇବାକୁ ସେହି ଜଟାପାଣି ଗ୍ରାମ ପାହାଡତଳକୁ ଯାଇଥିବାବେଳେ ଭାଲୁଟି ଆସି ସକାଳ ୧୦ ଟା ପାଖାପାଖି ସମୟରେ ଆକ୍ରମଣ କରିଥିଲା। ଛେଳି ଚରାଳି ଦରଗାର ମୁଣ୍ଡ ହାତ ଗୋଡକୁ ଆମ୍ପୁଡି ମାମ୍ପୁଡି କରି ରକ୍ତାକ୍ତ କରି ପକାଇ ଦେଇଥିଲା ।ଦରଗାର ପାଟି ଶୁଣି ସ୍ତ୍ରୀ ସୋମବାରି ପହଞ୍ଚିଥିଲା ତାକୁ ମଧ୍ଯ ଭାଲୁ ହାତ ,ଜଙ୍ଘ,ଗୋଡ଼କୁ କାମୁଡି,ମାମୁଡି କରି ରକ୍ତାକ୍ତ କରି ପକାଇ ପଳାଇଥିଲା । ସେମାନଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଜଟାପାଣି ଗ୍ରାମର ଦଶରଥ ମୁଣ୍ଡାଇୟା ଶୁଣି ସେମାନଙ୍କୁ ସାହାଯ୍ୟ କରି ଯାଉଥିବାବେଳେ ପୁଟୁସ ବୁଦାମୂଳା ମଧ୍ୟରେ ଲୁଚିଥିବା ରକ୍ତମୁଖା ଭାଲୁଟି ଦଶରଥ ଉପରକୁ ଝାମ୍ପି ପଡ଼ିଥିଲା । ଦଶରଥ ହାତ,ଗୋଡ଼,ଛାତିକୁ ରାମ୍ପିରୁମ୍ପା ରକ୍ତାକ୍ତ କରି ପକାଇଥିଲା ।ଦଶରଥ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ଉଭୟଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ସେଠାରେ ଗୁରୁତର ଦରଗା ଵିରୁଆଙ୍କୁ ବାରିପଦା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ପାଇ ଡିଏଫଓ ଶ୍ରୀ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ,ଵହଳଦା ରେଞ୍ଜର ସୁମତି ପାତ୍ର ପ୍ରମୁଖ ପିଡିତ ମାନଙ୍କୁ ସରକାର ନିୟମ ଅନୁସାରେ ସହାୟତା କରିବା ସହ ପିଡିତ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝାବୁଝି କରୁଛନ୍ତି । ସରକାରୀ ସ୍ତରରେ ସମସ୍ତ ସହାୟତା କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଥିଲେ। ଅପରପକ୍ଷରେ ଜଟାପାଣି ଏବଂ ସାଗଯୋଡି ଗ୍ରାମରେ ଭାଲୁ ଆକ୍ରମଣ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।ସକାଳୁ ଏବଂ ସଂନ୍ଧ୍ୟାରେ ଘରୁ ବାହାରିବା ଅତି କଷ୍ଟକର ହୋଇପଡିଛି । ଆବାଳବୃଦ୍ଧବନିତା ସମସ୍ତେ ଭୟଭୀତ ।ବନବିଭାଗ ତରଫରୁ ପିଡିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More