ପୁରୀ(ସଂଘର୍ଷ ମିଡିଆ) : – ଜଳବନ୍ଦୀ ଘେରରେ ପୁରୀର ପିପିଲି ପୋପରଙ୍ଗା ପଂଚାୟତ ପାଚଲପୁର ଗାଁ । ଗଙ୍ଗୁଆ ନାଳ ପାଣି ଗାଁରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଥିବା ବେଳେ ଶହ ଶହ ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଗତବର୍ଷ ବନ୍ୟା ଯୋଗୁଁ ଗଙ୍ଗୁଆ ନାଳରେ ସୃଷ୍ଟି ହୋଇଥିବା ଘାଇ ମରାମତି ନ ହେବା ଜଳବନ୍ଦୀର ମୁଖ୍ୟ କାରଣ ବୋଲି ବନ୍ୟା ବିପନ୍ନ ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଅନ୍ୟ ଏକ କାରଣ ବୋଲି ଅଭିଯୋଗ କରିଛନ୍ତି ବିପନ୍ନ । ପାଣିଘେରରେ ପିପିଲି ପୋପରଙ୍ଗା ପଂଚାୟତ ଛଅ ନମ୍ବର ୱାର୍ଡ ପାଚଲପୁର ଗ୍ରାମ । ଜଳବନ୍ଦୀ ରେ ୩୨ ପରିବାର । ଗଙ୍ଗୁଆ ରେ ପ୍ରବାହିତ ବର୍ଷା ଜଳ ତାଣ୍ଡବ ରଚାଇଛି ଏହି ଅଞ୍ଚଳରେ । ରାତିକ ମଧ୍ୟରେ ସମ୍ପୂର୍ଣ୍ଣ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି ।ଉଜୁଡ଼ି ଯାଇଛି ପନି ପରିବା ଓ ଧାନ ଫସଲ । ଏହା ପଛର କାରଣ ରହିଛି ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ବ ହୀନତା । ଗତ ବର୍ଷକ ତଳେ ଗଙ୍ଗୁଆ ରେ ସୃଷ୍ଟି ହୋଇ ଥିବା ଘାଇ କାରଣ ରୁ ୨୫ଦିନ ଧରି ଯମ ଯନ୍ତ୍ରଣା ଭୋଗିଥିଲେ ଏହି ଗ୍ରାମବାସୀ ।ମାତ୍ର ବର୍ଷକ ପରେ ମଧ୍ୟ ସମଦଶା ଭୋଗୁଛନ୍ତି ଏହି ପାଚଲପୁର ଲୋକେ ।ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ବ ହୀନତା ପାଇଁ ବର୍ଷକ ମଧ୍ୟରେ ମଧ୍ୟ ଘାଇ ମରାମତି କାର୍ଯ୍ୟ ଆରମ୍ଭ କରି ନଥିଲା ଦାୟିତ୍ବରେ ଥିବା ଡ୍ରେନେଜ ବିଭାଗ । ଏପରିକି ଘାଇ ମରାମତି କରିବା ପାଇଁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଦୁଇ ଦୁଇ ଥର ବିଭାଗକୁ ଚିଠି ଲେଖି ଏହାର ସମାଧାନ କରିବା ପାଇଁ ଚିଠି ଲେଖି ଥିଲେ ମଧ୍ୟ ଶୁଣିନଥିଲା ପ୍ରଶାସନ । ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଲୋକେ । ଏହି ମନୁଷ୍ୟ କୃତ ବନ୍ୟାର ଶୀକାର ହୋଇଛନ୍ତି ପାଚଲପୁର ଗାଁଲୋକେ । ଜଳବନ୍ଦୀ ଜୀବନ କାଟୁଥିବା ସହିତ ନିଜର ଜୀବନ ଜୀବିକା କୁହା ଯାଉଥିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଗ୍ରାମବାସୀ । ସେପଟେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ପାଇଁ ସରକାରୀ ଡ଼ଙ୍ଗାର ବ୍ୟବସ୍ଥା କରାଯାଇ ଥିବା ବେଳେ ଗାଁର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି ବ୍ଲକ ବିଡ଼ିଓ ରଶ୍ମିତା ନାଥ । ଜଳବନ୍ଦୀ ଅବସ୍ଥାରେ ଥିବା ବନ୍ୟା ବିପନ୍ନ ଙ୍କ ପାଇଁ ସରକାରୀ ସ୍ତରରେ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପାନୀୟ ଜଳ ର ବ୍ୟବସ୍ଥା କରାଯିବା ସହିତ ଗୋ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି ।