ଭଦ୍ରକ(ସଂଘର୍ଷ ମିଡିଆ ) : ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ବାଲିପାଟଣା ଗ୍ରାମ ଠାରେ ବାବା ଜଗତେଶ୍ବର ଶିବ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆଖଣ୍ଡଳମଣି ପୀଠରୁ ଆଜ୍ଞାମାଳ ଆସି ଗ୍ରାମ ପରିକ୍ରମା କରି ମନ୍ଦିରରେ ସ୍ଥାପନ କରାଯାଇଥିଲା। ପଞ୍ଚାୟତର ୧୦୮ ମହିଳା ଓ ପୁରୁଷ ବ୍ରତଧାରୀଙ୍କ ଦ୍ଵାରା ସ୍ଥାନୀୟ ବୈତରଣୀ ନଦୀର ସିଦ୍ଧେଶ୍ୱର ଘାଟରୁ କଳସ ଯାଜପୁର ଜିଲ୍ଲା ସଂଖଚିଲା ସ୍ଥିତ ଶ୍ରୀ ଜଗନ୍ନାଥ ଘଣ୍ଟୁଆରୀ ସେବା ଦଳ ବାଦ୍ୟର ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ତିନି ଦିନ ଧରି ଏହି କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, ଅଗ୍ନି ସଂସ୍କାର,ଯଜ୍ଞ ,ଶୈବାଗ୍ନି ସ୍ଥାପନ,ଏକଶତ ବେଦମନ୍ତ୍ର ଦ୍ବାରା ବାବା ଜଗତେଶ୍ବରଙ୍କୁ ଆହୁତୀ ପ୍ରଦାନ,ସୂର୍ଯ୍ୟ ପୂଜା, ଗୋପୂଜା,ଦେବତା ନ୍ୟାସ, ପ୍ରାଣ ପ୍ରତିଷ୍ଠା,ଜୀବଦାନ, ଦେବତା ସ୍ନାନ,ଶିଖର ସ୍ନାନ, ସନ୍ଧ୍ୟା ଆଳତି,ରୁଦ୍ରାଭିଷେକ, ଦେବତାଙ୍କ ଗ୍ରାମ ଭ୍ରମଣ,ଶିବ ପାର୍ବତୀ ବୈବାହିକ କକର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ବିଭିନ୍ନ ଦିବସରେ ମାଳିକା ପ୍ରବଚକ ପରିବ୍ରାଜକ ପ୍ରମୋଦ କୁମାର ଓ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ଵାରା ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ତ୍ତୀ କର୍ତ୍ତା ଭାବେ ରଘୁନାଥ ଆନ୍ଦିଆ ଓ ଉଦାସୀ ଆନ୍ଦିଆ,ଦିନବନ୍ଧୁ ଆନ୍ଦିଆ ଓ ପ୍ରଭାବତୀ ଆନ୍ଦିଆ ଏବଂ ପିତାମ୍ବର ସାହୁ ଓ ପ୍ରମିଳା ସାହୁ ଉପସ୍ଥିତ ଥିଲେ। ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ରବୀନାରାୟଣ ଦୀକ୍ଷିତ,ନ୍ୟାସ ଆଚାର୍ଯ୍ୟ କାହ୍ନୁଚରଣ ମିଶ୍ର,ବ୍ରହ୍ମା ମୁଟୁ ନନା,ହୋତା ନିରଞ୍ଜନ ପାଣିଗ୍ରାହୀଙ୍କ ସମେତ ୧୪ ଜଣ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ତିନି ଦିନ ଧରି ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।