ପୁରୀ(ସଂଘର୍ଷ ମିଡିଆ) : ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଚଳିତ ବର୍ଷ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଶ୍ରୀକ୍ଷେତ୍ରରେ ହେବ ବୋଲି ଆକଳନ କରୁଛି ପ୍ରଶାସନ। ତେବେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଏଥି ପାଇଁ ଜୋର ସୋରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପରିକ୍ରମା ପ୍ରକଳ୍ପରେ ପାନୀୟ ଜଳ, ଶୌଚାଳୟ, କ୍ଲୋକ୍ ରୁମ୍ ଆଦି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଦେଖିପାରିବେ ବୋଲି ଆଶା କରାଯାଉଛି। ଗତ ୨୦୧୯ ଫନି ବାତ୍ୟାରେ ଶ୍ରୀକ୍ଷେତ୍ରର ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଥିଲା। ତେବେ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଥିଲେ। ଅବଢ଼ା ଯୋଜନାରେ ତିନି ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ କରାଯାଉଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ମାନେ ସର୍ବନିମ୍ନ ମୌଳିକ ସୁବିଧା ଯଥା ପାନୀୟ ଜଳ, ଶୌଚାଳୟ, ଅଭ୍ୟର୍ଥନା କକ୍ଷ, ଲଗେଜ୍ ରୁମ୍, ପୋଲିସ ସେବା, ଫାଷ୍ଟେଡ୍ ସେଣ୍ଟର ଓ ଏଟିଏମର ସୁବିଧା ଏହି ପରିକ୍ରମା ପ୍ରକଳ୍ପରେ ପାଇପାରିବେ। ଭକ୍ତ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ କିଭଳି ବସି ରହି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ଏହି ପରିକ୍ରମା ପ୍ରକଳ୍ପରେ। ସେହିପରି ବିଭିନ୍ନ ସମୟରେ ୫ଟି ସଚିବ ମଧ୍ୟ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଭକ୍ତମାନେ ଏହାର ସମସ୍ତ ସୁବିଧା ପାଇବା ସହ ଏକ ସୁଖଦ ଅନୁଭୂତି ନେଇ ଫେରିବେ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଯାତାୟାତରେ ଉଭୟ ଭକ୍ତ ଓ ସହରବାସୀ ଅସୁବିଧା ଭୋଗୁଛନ୍ତି। ତେଣୁ ରଥଯାତ୍ରା ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ସାରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା ନେଇ ପ୍ରଶାସନ ଲକ୍ଷ ରଖିଛି। ତେବେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କିଭଳି ଶିଘ୍ର ଶେଷ ହେବ ସେ ଦିଗରେ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ। ଟଏଲେଟ୍, କ୍ଲୋକ୍ ରୁମ୍, ପାନୀୟ ଜଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟ୍ ଡୋର ରୋଡ୍ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି। ରଥଯାତ୍ରା ପରେ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସବୁଜ ବଳୟ କରାଯିବ। ପୁରୀକୁ ଆସୁଥିବା ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ ବୋଲି କହିଛନ୍ତି ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଭାଶିଷ ଖୁଣ୍ଟିଆ।