କୋଟଗାଁ ( ସାଙ୍ଘର୍ଷ ମିଡିଆ ) : – ଚାଷୀଙ୍କୁ ଟୋକନ ମିଳିଛି । ଧାନ ମଧ୍ୟ ଆଣି ମଣ୍ଡିରେ ରଖିଛନ୍ତି । ହେଲେ ଧାନ ଉଠାଣ ହେଉ ନ ଥିବାରୁ ମାସେ କାଳ ହେଲା ମଣ୍ଡିରେ ଶୀତ କକରରେ ଧାନ ଜଗିବାକୁ ପଡ଼ି ରହିଛନ୍ତି ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି -କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଅନ୍ତର୍ଗତ କୋଟଗାଁ ମଣ୍ଡିରେ । ଏଥିରେ ୨୦୦୦ କୁଇଣ୍ଟାଲ ଧାନ ପଡ଼ି ରହିଥିବା ବେଳେ, ଟାର୍ଗେଟ ନଥିବା ଦର୍ଶାଇ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ କୋଟଗାଁ ଧାନ କିଣିବାକୁ ମନା କରୁଛି । ପ୍ରବଳ ଶୀତରେ ମାସେ ହେଲା ମଣ୍ଡିରେ ପଡ଼ି ରହିଛି ଧାନ ଓ ଚାଷୀ । ମଣ୍ଡି ଆରମ୍ଭ ହୋଇ ଇତି ମଧ୍ୟରେ ୨ମାସରୁ ଅଧିକ ଦିନ ହେଲାଣି । କିନ୍ତୁ ଚାଷୀର ଦୁର୍ଦ୍ଦଶା କାମୁନି । ମଣ୍ଡି ଆରମ୍ଭରେ ଆଦ୍ରତା ନାମରେ ମିଲର୍ଷ ମାନେ ଚାଷୀଙ୍କୁ କଟନୀ ଛଟନୀ ପାଇଁ ଏକ ପ୍ରକାର ବାଧ୍ୟ କଲାବେଳେ , ବର୍ତ୍ତମାନ ଏଜେଣ୍ଟ ର ମର୍ଜିରେ ଚାଲିଛି କୋଟଗାଁ ମଣ୍ଡି ବୋଲି ଚାଷୀ ବାସୁଦେବ କର , କୁଞ୍ଜ ନାଗ , ଲଳିତ ବାଗ , ଲବ ଚନ୍ଦନ , ରଘୁ ଛତ୍ରୀଆ , ଲକ୍ଷ୍ୟ ତାଣ୍ଡି , ଶତ୍ରୁଘନ ନିଆଲ ପ୍ରମୁଖ ଅଭିଯୋଗ କରିଛନ୍ତି । ବର୍ତ୍ତମାନ କୋଟଗାଁ ମନ୍ଦିର ପରିସ୍ଥିତି ଏମିତି ହେଲା ଯେ – କୋଟଗାଁ ମଣ୍ଡିରେ ବର୍ତ୍ତମାନ ୬/୭ କେଜି କଟନୀ ଚାଲିଛି ଏବଂ ଚାଷୀମାନେ କହିବା କଥା ଆଉ କେତେଦିନ ଗଲେ ୧୦ କେଜି କଟନୀ ଚାଲିବାର ସମ୍ଭାବନା ରହିଛି ଓ ଏବେ ଟାର୍ଗେଟ ଆଳରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ମସୁଧା ଚାଲିଛି ବୋଲି ଚାଷୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ବର୍ତ୍ତମାନ ଖରାଦିନିଆ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଧାନ ବିକ୍ରିର ବିଲମ୍ବତାକୁ ନେଇ ଚିନ୍ତାରେ ଚାଷୀ ।ଏଣୁ ଶୀଘ୍ର ଅଧିକ ଟାର୍ଗେଟ ଦେଇ ଧାନ ଉଠାଣ କରିବାକୁ ଜିଲ୍ଲା ପ୍ରଶାସନ ଚାଷୀ ମହଳରୁ ଦାବୀ ହେଉଛି । ତେବେ ଆମ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଚେଇଁ ଉଠିବ ନା, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।