ବୌଦ୍ଧ(ସଂଘର୍ଷ ମିଡିଆ) :- ବୁଧବାର ଅପରାହ୍ନରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାଲେଶ୍ୱର ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସୂରକ୍ଷା,ରକ୍ଷଣାବେକ୍ଷଣ,ଶିକ୍ଷାଦାନ ବ୍ୟବସ୍ଥା,ଖାଦ୍ୟ ବ୍ୟବସ୍ଥା,ହଷ୍ଟେଲ ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା,ଶୌଚାଳୟ ଆଦି ସଂପର୍କରେ ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ପିଲାମାନଙ୍କ ନିକଟରେ ରକ୍ତହୀନତା,ପୁଷ୍ଟିହୀନତା ଦେଖିବାକୁ ପାଇବାସହ ତତ୍କାଳ ସେଠାରେ ଏକ ମେଡିକାଲ କ୍ୟାମ୍ପ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ୟାମ୍ପରେ ଶିଶୁ ବିଶେଷଜ୍ଞ,ଚକ୍ଷୁବିଶେଷଜ୍ଞ,ଚର୍ମ ବିଶେଷଜ୍ଞ ଉପସ୍ଥିତ ରହିବା ସହିତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପର୍ଯ୍ୟନ୍ତ କ୍ୟାମ୍ପ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଆଶାକର୍ମୀମାନେ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଶିଶୁଙ୍କ ପରିଷ୍କାର ପରିଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ଆକ୍ୱାଗାର୍ଡ ଲଗାଇ ବିଶୁଦ୍ଧ ପାନୀୟଜଳ ଶିଶୁମାନଙ୍କୁ ଦେବାକୁ ପରିଚାଳନା ସଂସ୍ଥାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହପରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ପାଇଖାନା କମ ଥିବାରୁ ଜିଲ୍ଲାପାଳ ଶ୍ରୀସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ,ଜୋତା,ଔଷଧ,ପୁଷ୍ଟିକର ଖାଦ୍ୟ ,ଖଟ ଓ ମଶାରୀ ଆଦି ଯୋଗାଇଦେବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ବିଦ୍ୟାଳୟ ପରିଚାଳକ ୪ ମାସର ଅଡିଟ ରିପୋର୍ଟ, ବିଦ୍ୟାଳୟକୁ ମିଳିଥିବା ଅନୁଦାନ ଏବଂ ଖର୍ଚ୍ଚ ବିବରଣୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିଲେ । ପରେ ପରେ ଜିଲ୍ଲାପାଳ ଅନ୍ୟ ଅଧିକାରୀମାନଙ୍କ ସହିତ ସରସରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ,ସଂଘର୍ଷ ନ୍ୟୁଜ, ବୌଦ୍ଧ ।
Get real time updates directly on you device, subscribe now.