ପୁରୀ(ସଂଘର୍ଷ ମିଡିଆ) : – କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କରାଯିବ ଲେଜର ସ୍କାନିଂ। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ତେବେ ଏହି ଲେଜର ସ୍କାନିଂ ଏଏସାଆଇ ପାଖରେ ପହଞ୍ଚିଥିବା କହିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ତଥା ଏଏସାଆଇ ସୁପରିଟେଣ୍ଡ। ଅନ୍ୟପଟେ ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ହେବ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଟେକ୍ନିକାଲ କମିଟି, ଏଏସାଆଇ ସୁପରିଟେଣ୍ଡ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।