କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – କମ୍ରେଡ ବନମାଳି ଧୁପାଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଲଇଣ୍ଡିଆ ଓମେନ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ ( ଏଆଇଡବ୍ଲୁସିଡବ୍ଲୁଏ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ( ମାର୍କ୍ସ)ର ମିଳିତ ଆନୁକୂଲ୍ୟରେ କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ଚାରଣ ସଭା ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ସିଟୁର କେନ୍ଦ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ବ ଓ ସଂଯୋଜନା ତଥା ଏଆଇଡବ୍ଲୁସିଡବ୍ଲୁଏ ର ମୁଖ୍ୟ ଡଃ ମଧୁସ୍ମିତା ଧୁପାଳ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣେଇ ର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଶିକ୍ଷାବିତ ଡଃ କିଶୋରୀ ଦାଶ,ଡଃ ପ୍ରଭାତ ମଲ୍ଲିକ ଓ ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରୟାତ ଧୁପାଳଙ୍କ ଜୀବନୀ, ସଂଘର୍ଷ ଓ ଶ୍ରମିକ ଆନ୍ଦୋଳନରେ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ଚନ୍ଦ୍ରଭାନୁ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ସ୍ବାଗତ ଭାଷଣ ରଖିଥିଲେ । ଏହାପରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଡଃ ଧୁପାଳ ତାଙ୍କ ବାପା ସ୍ବର୍ଗତ ଧୁପାଳଙ୍କୁ ଏକ ନୀତିନିଷ୍ଠ,କର୍ମ ପ୍ରତିବଦ୍ଧତା ଓ ସମାଜ ପାଇଁ ସମର୍ପିତ ପ୍ରାଣ ଥିଲେ ବୋଲି ଅବହିତ କରିବା ସହ ତାଙ୍କ ପ୍ରେରଣା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ମହାନ୍ତି ପ୍ରୟାତ ଧୁପାଳଙ୍କୁ ଭାଷା ଓ ଶ୍ରମିକ ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ଭାବେ ଅବହିତ କରିବା ସହ ଅନ୍ୟାୟ, ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନର ସେ ପ୍ରମୁଖ କର୍ଣ୍ଣଧାର ବୋଲି କହିଥିଲେ । ଅତିଥି ବିଧାୟକ ଶ୍ରୀ ମୁଣ୍ଡା, ଡଃ ଦାଶ ଓ ଡଃ ମଲ୍ଲିକ ସ୍ବର୍ଗତ ଧୁପାଳଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ଅନୁକରଣୀୟ, ଆଦିବାସୀ ଙ୍କ ସ୍ବର, ପ୍ରେମ ସମ୍ଭାବନା ଓ ସଂପ୍ରୀତି ର ପ୍ରତୀକ ତଥା ସଂପର୍କର ସେତୁ ରୂପେ ଅବହିତ କରିଥିଲେ । ସେ ମାର୍କ୍ସବାଦକୁ ଭଲଭାବେ ବୁଝିଥିଲେ ବୋଲି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୃତ୍ୟୁ ପରେ ସମାଜର କଲ୍ୟାଣ ପାଇଁ ଅଙ୍ଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ସାହୁ, ଡାକ୍ତର ୟୁ ସି ଜେନା, ଡଃ ସଞ୍ଜୟ ହାତୀ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ କବି କୁଞ୍ଜବିହାରୀ ରାଉତ ପ୍ରୟାତ ଧୁପାଳଙ୍କ ସଂପର୍କରେ ଏକ ମାର୍ମିକ କବିତା ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ସୁଜ୍ଞାନୀ ରାୟ, ଦେବ ପଟ୍ଟନାୟକ, ଦେବ ଗଡତିଆ, ପବନ ତିୱାରୀ, ଅବନୀ ମହାପାତ୍ର,ଅଶୋକ ଦାଶ, ସାହିତ୍ୟ କ୍ଷେତ୍ରରେ ଡଃ ସଞ୍ଜୟ ହାତୀ,ଡଃ କିଶୋରୀ ଦାଶ, ଡଃ ପ୍ରଭାତ ମଲ୍ଲିକ, ସମାଜସେବା କ୍ଷେତ୍ରରେ ଡାକ୍ତର ସନ୍ତୋଷ କୁମାର ସେଠୀ,ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ, ସଞ୍ଜୟ ସାମଲ,ଡି ଅଭିକ କୁମାରଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଡାକ୍ତର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଧୁପାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More