ଏଣିକି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଉପସ୍ଥିତ ରହିବେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ

29

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଏଣିକି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଉପସ୍ଥିତ ରହିବେ ଶ୍ରୀମନ୍ଦିରର ପ୍ରତିହାରୀ ସେବକ। ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ନଜରକୁ ଆସିବା ପରେ ଏହାକୁ ରୋକିବା ପାଇଁ ପ୍ରତିହାରୀ ସେବକଙ୍କୁ ସିଂହଦ୍ଵାର ନିକଟରେ ମୁତୟନ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ କିଏ ହିନ୍ଦୁ, କିଏ ଅଣହିନ୍ଦୁ ତାହା ଚିହ୍ନଟ କରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ କାର୍ଯ୍ୟ। ତେବେ ପ୍ରତିହାରୀ ସେବକ ମାନେ ସିଂହଦ୍ଵାର ନିକଟରେ ଉପସ୍ଥିତ ରହିଲେ କୌଣସି ଅଣହିନ୍ଦୁ ପ୍ରବେଶ କଲେ ତାଙ୍କୁ ସେ ଅଟକାଇ ପାରିବେ। ସନ୍ଦେହ ହେଉଥିବା ଲୋକଙ୍କୁ ତାଙ୍କ ଗୋତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିବେ ପ୍ରତିହାରୀ ସେବକ। ଫଳରେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ କରିବା ଉପରେ ରୋକ୍ ଲଗାଯାଇପାରିବ। ଶ୍ରୀମନ୍ଦିର ଦ୍ବାର ଫିଟା ଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ସିଂହଦ୍ଵାର ନିକଟରେ ପ୍ରତିହାରୀ ସେବକ ମାନେ ଉପସ୍ଥିତ ରହିବେ। ତେବେ ଏହାକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିରରେ ପ୍ରତିହାରୀ ସେବା ଏକ ସ୍ବତନ୍ତ୍ର ସେବା। ରାଜା ଶାସନ ସମୟରେ ଏହି ପ୍ରତିହାରୀ ସେବକ ମାନେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳା ରକ୍ଷା କରୁଥିଲେ। ଭକ୍ତମାନେ କିଭଳି ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ କରିବେ ସେନେଇ ସମସ୍ତ କାର୍ଯ୍ୟ ବୁଝୁଥିଲେ। ସିଂହଦ୍ଵାର ନିକଟରେ ପ୍ରତିହାରୀ ସେବକ ମାନେ ଉପସ୍ଥିତ ରହିବା ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସରେ ଉଲ୍ଲେଖ ରହିଛି। ତେବେ କୌଣସି କାରଣ ବଶତଃ ଏହି ସେବା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ଫଳରେ ଅନେକ ଅଣହିନ୍ଦୁ ଶ୍ରୀମନ୍ଦିରରେ ଅବାଧ ପ୍ରବେଶ କରୁଥିବା ବେଳେ ପୋଲିସ ସେମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରୁନାହିଁ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଶ୍ରୀମନ୍ଦିରର ପୁରୁଣା ପରମ୍ପରାକୁ ଲାଗୁ କରାଯାଇଥିବା ବେଳେ ପଣା ସଂକ୍ରାନ୍ତି ଠାରୁ ପ୍ରତିହାରୀ ସେବକ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଯାତ୍ରୀଙ୍କୁ ଯାଞ୍ଚ କରିବା ପାଇଁ ଉପସ୍ଥିତ ରହିବେ।ପୂର୍ବରୁ ରାଜାରାଜୁଡ଼ା ସମୟରେ ଖୁବ୍ କମ୍ ଭକ୍ତ ଶ୍ରୀମନ୍ଦିର ଆସୁଥିଲେ। ତେବେ ବର୍ତ୍ତମାନ ସମୟରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି।‌ ତେଣୁ ପ୍ରବଳ ଭକ୍ତଙ୍କ ସମାଗମ ଶ୍ରୀମନ୍ଦିରରେ ହେଉଥିବା ବେଳେ ଅଣହିନ୍ଦୁଙ୍କୁ ଚିହ୍ନଟ କରିବା ପାଇଁ ପୁନର୍ବାର ପ୍ରତିହାରୀ ସେବା ଶ୍ରୀମନ୍ଦିର ନିକଟରେ ଲାଗୁ କରିବା କେତେଦୂର ସଫଳ ହେବ ତାହା ସମୟ କହିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More