ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମା ତାରିଣୀଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି ।୧୯ ତାରିଖ ଦିନ ଅଂକୁରରୋପଣ, ଅଧିବାସ ଠାରୁ ଚାରି ଦିନିଆ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ।୨୦ ତାରିଖ ଦିନ ଭୋର ସମୟରେ ଖଡ଼ଖାଇ ନଦୀକୂଳ ଛୋଟ ଘାଟ ନିକଟରୁ ସାମୁହିକ ୧୦୮ ଘଟ ଉତ୍ତଳନ କରାଯାଇ ବିଶାଳ ୩କିମି ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇଥିଲା ।ଘଟ ପ୍ରତିଷ୍ଠା କରାଯିବାରେ ଯଜ୍ଞ ମଣ୍ଡପ ଶୁଦ୍ଧି କରାଯାଇ ଅଗ୍ନି ସ୍ଥାପନ କରାଯାଇଥିଲା ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ସାଗର ନାୟକ ଏବଂ ତାଙ୍କ ଧର୍ମପତ୍ନୀ କର୍ତ୍ତା ହିସାବରେ ପୂଜାରେ ବସିଥିଲେ ।ପୂଜକ ବିଜୟ ଚନ୍ଦ୍ର ପାଣି, ନିଶ୍ଚିତ ପାଣି ଏବଂ କମଳାକାନ୍ତ ପଣ୍ଡାଙ୍କ ଦ୍ୱାରା ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ସୁର୍ଯ୍ୟପୂଜା, ଜଉମୁଦ, ଚଣ୍ଡୀପାଠ କରାଯାଇଥିଲା ।୨୧ ତାରିଖ ଦିନ ଗୁରୁବାର ପ୍ରତ୍ୟୁଷରେ ସୂର୍ଯ୍ୟପୂଜା, ଅର୍ଘପୂଜା ପରେ ମା ତାରିଣୀଙ୍କ ପ୍ରାଣ ପ୍ରତିଷ୍ଠା, ତୁଳସୀ ପ୍ରତିଷ୍ଠା, ରୁଦ୍ରଭିଷେକ, ଚଣ୍ଡୀପାଠ କରାଯାଇଥିଲା । ୨୨ ତାରିଖ ଦିନ ସୂର୍ଯ୍ୟପୂଜା ପରେ ସାଧାରଣ ପୂଜା ଯଜ୍ଞ, ଚଣ୍ଡୀ ପାଠ ଏବଂ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା ।ପୂଜା ସମ୍ପନ୍ନ ପରେ ଶ୍ରଦ୍ଧାଳୁ ଏବଂ ଭକ୍ତବୃଦଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ପ୍ରତେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ଘରକୁ ଫେରୁଥିଲେ ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ଆଖପାଖ ଅଞ୍ଚଳ ୪ ଦିନ ଧରି ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମନ୍ଦିର ଟିଏ ନଥିବାରୁ କର୍ମଚାରୀ ଓ ରୋଗୀ ମାନେ କୌଣସି ଦେବଦେବୀଙ୍କୁ ରୋଗ ଓ ନିଜ ସୁରକ୍ଷା ଶାନ୍ତି ପାଇଁ ପୂଜାର୍ଚ୍ଚନା କରିପାରୁ ନଥିଲେ ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଡ଼ଃ ସାଗର ନାଏକ, କର୍ମଚାରୀ, ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା ହେବା ସହ ପୂଜାର୍ଚ୍ଚନା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା ।