ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ପୁରୀ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା

18

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ପୁରୀ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା। ବସୁଧା ଯୋଜନାରେ ତୁରନ୍ତ ପାନୀୟ ଜଳ ଯୋଗାଣ କରାନଗଲେ ଆମରଣ ଅନଶନ ଏବଂ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା। ପାନୀୟ ଜଳ ଯୋଗାଣ ଦାବି ନେଇ ପୁରୀ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଶତାଧିକ ଲୋକ। ମୁକୁନ୍ଦ ମିଶ୍ର ନଗର ସ୍ଥାୟୀ ସଭାପତି ଜଗଦାନନ୍ଦ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ପୁରୀ ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ମୁକୁନ୍ଦ ମିଶ୍ର ନଗରରେ ଦୁଇ ହଜାରରୁ ଊର୍ଦ୍ଧ୍ବ ପରିବାର ରହୁଥିବାବେଳେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଯୋଜନାର ଲାଭ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା ପାଇ ପାରୁନାହାନ୍ତି। ପାନୀୟ ଜଳ ଟୋପାଏ ପାଇଁ ଦୁଇ ହଜାର ପରିବାର ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଲୋକଙ୍କ ଅଭିଯୋଗକୁ କେହି ବି ଗୁରୁତ୍ବ ଦେଉନାହାନ୍ତି। ତେବେ ମୁକୁନ୍ଦ ମିଶ୍ର ନଗରରେ ଅଳ୍ପ କିଛି ପରିବାରକୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ତାହା ବି ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଣୁ ମୁକୁନ୍ଦ ମିଶ୍ର ନଗରରେ ରହୁଥିବା ସମସ୍ତ ବାସିନ୍ଦାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତୁରନ୍ତ ନକଲେ ସମସ୍ତ ବାସିନ୍ଦା ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି।ସେପଟେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା ଘେରାଉ କରିବା ପରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିଦ ଭାଙ୍ଗିଛି। ଜିଲ୍ଲାପାଳ ଏନେଇ କାଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେହି ଭୟରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀ ତତ୍ପର ହୋଇଛନ୍ତି। ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ଅନେକ ନୂଆ ପରିବାର ଏବେ ବସବାସ କରୁଥିବା ବେଳେ ସେମାନଙ୍କୁ ପାନୀୟ ଜଳଯୋଗାଣ ପାଇଁ ଖୁବଶୀଘ୍ର ବ୍ୟବସ୍ଥା କରାଯିବ। ଏନେଇ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ଆଉ ଅଳ୍ପଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିପରି ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ଅନୁଧ୍ୟାନ କରାଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି। ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ୬୦ ପ୍ରତିଶତ ପରିବାରକୁ ଗ୍ରାମୀୟ ଜଳଯୋଗାଣ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଆହୁରି ୪୦ ଭାଗ ଲୋକ ଏହି ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ତେବେ ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏହି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ କାହିଁକି ଆନ୍ତରିକତା ଦେଖାଉ ନାହିଁ ସେନେଇ ଏବେ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More