ରାଉରକେଲା(ସଂଘର୍ଷ ମିଡିଆ ) : ରାଉରକେଲାର ବିଶିଷ୍ଟ ସାରସ୍ବତ ସାଧକ ଇଂ ଜଳଧର ପ୍ରଧାନଙ୍କୁ କେନ୍ଦ୍ରାପଡା ଜିଲ୍ଲାର ବ୍ରାହ୍ମଣୀ ସାଂସ୍କୃତିକ ପରିଷଦ ତରଫରୁ ନାଗରିକ ସମ୍ମାନ ଦିଆଯାଇଛି। ସମାଜସେବୀ ଗଦାଧର ମଲ୍ଲିକ ଙ୍କ ପୌରହିତ୍ୟ ଓ ଚିତ୍ତରଂଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ବରୀ ବିଧାୟିକା ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ଇଂ ପ୍ରଧାନଙ୍କୁ ତାଙ୍କ ସାରସ୍ବତ ସାଧନା ପାଇଁ ଉତ୍ତରୀୟ,ମାନପତ୍ର ଓ ପୁଷ୍ପଗୁଛ ଦେଇ ନାଗରିକ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ ଇଂ ପ୍ରଧାନ ବାଲ୍ୟକାଳରୁ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିବା ବେଳେ ୧୯୯୫ ମସିହାରେ ଆରଏସପି ରୁ ଡେପୁଟି ମ୍ୟାନେଜର ପଦରୁ ସେବାନିବୃତ ହୋଇଥିଲେ। ତେବେ ତାଙ୍କର ସାରସ୍ବତ ସ୍ବୀକୃତି ମଧ୍ୟରେ ୩ଖଣ୍ଡ କବିତା ପୁସ୍ତକ ବଣଫୁଲ,ଅନାବନା,ପାତାଳପୁରୀ, ୩ଖଣ୍ଡ ଗଳ୍ପ ସଂକଳନ ଗପ ହେଲେ ବି ସତ, ସ୍ମୃତି ସାଉଁଟା ଗଳ୍ପ ଓ ତୁ ବାଡିପଶା କୋଉ ଭଲ ତଥା ନାଟକ ଦୀର୍ଘ ‘ଇ’ କାର ସାର ଇତ୍ୟାଦି ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ସଂପ୍ରତି ଝରାଫୁଲ ନାମକ ପୁସ୍ତକ ଯନ୍ତ୍ରସ୍ଥ ଅଛି। ତାଙ୍କ ସାରସ୍ବତ ସାଧନାକୁ ସ୍ବୀକୃତି ଜଣାଇ ଉତ୍କଳ ଗୀତିକବି ସମାଜ “ଜୟଦେବ ସମ୍ମାନ ” ଓ ସୌଖିନ ନାଟ୍ଯ ଅଭିନେତା ଭାବେ ଓଡିଆ ସୋସାଇଟି ଅଫ୍ ଆମେରିକା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଇଂ ପ୍ରଧାନଙ୍କୁ ଏହି ସମ୍ମାନ ମିଳିବା ପରେ ରାଉରକେଲା ତଥା ସାହିତ୍ୟିକ ମହଲରେ ଆନନ୍ଦର ଛାୟା ଖେଳିଯିବା ସହ ବହୁ ସାହିତ୍ୟିକ କବି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।