ଭୁବନେଶ୍ବର (ଏଜେନ୍ସି ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଖୋଲିବ । ସବୁଜ ଜୋନରେ ଥିବା ସବୁ ଜିଲାର ସରକାରୀ କାର୍ଯ୍ୟାଳୟ ଯଥାରୀତି କାର୍ଯ୍ୟ କରିବ। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି। ତେବେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବେ। ସେହିପରି ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ ରେଜିଷ୍ଟର ଅଫିସ୍ ରୁ କାମ କରିବେ । ତେବେ ରେଡ଼ ଓ ଅରେଞ୍ଜ ଜୋନରେ ଥିବା ଜିଲା ଖୋର୍ଧା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଆଦି ଜିଲାଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଖୋଲାଯିବା ଓ କାର୍ଯ୍ୟକୁ ନେଇ କିଛିଟା କଟକଣା ଜାରି କରାଯାଇଛି । ଏହି ଜିଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରଥମ ଶ୍ରେଣୀ (ଗ୍ରେଡ଼୍-ଏ) କର୍ମଚାରୀ ଅଫିସ ଆସିବେ । ଅନୁରୂପ ଭାବରେ ଅତି ଜରୁରୀ ଓ ଆଂଶିକ ଜରୁରୀ ଘୋଷିତ ବିଭାଗଗୁଡ଼ିକର କର୍ମଚାରୀମାନେ ପାଳିକରି ଅଫିସ ଆସିବାକୁ ନିର୍ଦେଶ ଦିଆଯାଇଛି । ତେବେ କୌଣସି ଦିନ ଦ୍ବିତୀୟ, ତୃତୀୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ । ଲକ୍ ଡ଼ାଉନ ଅବଧିଶେଷ ଅର୍ଥାତ୍ ମେ ୩ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ ।