ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ମହୁଲ ଫୁଲ

98

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ମହୁଲ ଫୁଲ ସାମାନ୍ୟ ବନଜାତ ଦ୍ରବ୍ଯ ହୋଇଥିଲେ ହେଁ ଆଦିବାସୀଙ୍କ ପାଇଁ ଏହା ଅମୂଲ ମୂଲ। ଫଗୁଣର ଆଗମନରେ ଆଦିବାସୀ ଲୋକେ ଏହାକୁ ଜୀବିକା ବୋଲି ଗ୍ରହଣ କରିଥାନ୍ତି। ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ଏହାକୁ ଚାଷ ମଧ୍ୟ କରିଥାନ୍ତି। ଏହାର ଫୁଲ ଓ ଫଳ ( ଟୋଲ) ଉଭୟ ଉପଯୋଗୀ। ମହୁଲ ଫୁଲରୁ ଆଦିବାସୀଙ୍କ ପରିବାରରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଏହାକୁ ବିକ୍ରୀ କରି ଲୋକେ କିଛି ରୋଜଗାର କରିଥାନ୍ତି। ଫଗୁଣ ମାସ ଆସିଲେ ଆଦିବାସୀ ଗାଁ ଗଣ୍ଡା ମହୁଲ ଫୁଲ ବାସ୍ନାରେ ପରିବେଶ ର ବାତାବରଣ ମହକି ଉଠିଥାଏ। ଲୋକେ ଫୁଲ ସଂଗ୍ରହ କରିବାକୁ ମହୁଲ ଗଛ ତଳକୁ ସଫା ସୁତୁରା କରି ଗୋବରରେ ଲିପାପୋଛା କରି ପରିଷ୍କାର କରିଥାନ୍ତି। ଗଛରୁ ତଳେ ପଡୁଥିବା ମହୁଲ ଫୁଲକୁ ପରିବାର ଲୋକେ ପାଳିକରି ଗୋଟାଇ ଥାନ୍ତି। ଫୁଲ ସଂଗ୍ରହ କରିବାକୁ ପରିବାରର ପୁରୁଷ ମହିଳା ଓ ଛୁଆ ପିଲା ବଢି ଭୋର ସକାଳୁ ଉଠି ଟୋପଲି, ଚାଙ୍ଗୁଡ଼ି, ଡାଲା ଆଦି ଧରି ଅପରାହ୍ନ ଶେଷ ଯାଏଁ ସଂଗ୍ରହ କରିଥାନ୍ତି। ଏହି ସମୟରେ ସମସ୍ତଙ୍କ କେବଳ ଗୋଟିଏ ଚିନ୍ତା ରହେ କି,ରାତି ପାହିଲେ ଜଙ୍ଗଲ ଯିବା ଓ ମହୁଲ ଫୁଲ ସଂଗ୍ରହ କରିବା। ଏହି ଫୁଲ ଅନେକଙ୍କୁ ଦାନା ଯୋଗାଇ ଥାଏ। ଜିଲ୍ଲାର ପ୍ରାୟ ଅଧିକାଂଶ ଆଦିବାସୀ ପରିବାର ଏହା ଉପରେ ନିର୍ଭର କରି ମଧ୍ୟ ଚଳିଥାନ୍ତି। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ପାଇବା ଠାରୁ ବଞ୍ଚିତ ହୋଇଥାନ୍ତି ମହୁଲ ଫୁଲ ସଂଗ୍ରହକାରୀ । ଅନ୍ୟ ଜିଲ୍ଲା ତଥା ବାହାର ରାଜ୍ୟରୁ ଦଲାଲ ଆସି ଶସ୍ତା ଦରରେ ମହୁଲ ଫୁଲ କିଣି ଏହାର ଫାଇଦା ଉଠାଇଥାନ୍ତି। ମହୁଲ ଫୁଲ ଭାଲୁର ଅତି ପ୍ରିୟ ହୋଇଥିବାରୁ ଅନେକ ସମୟରେ ଆଦିବାସୀ ଲୋକେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥାନ୍ତି। ଅନ୍ୟପକ୍ଷେ ଅଧିକାଂଶ ମହୁଲ ଗଛ ବ୍ୟକ୍ତିଗତ ଅଧିକାରରେ ରହିଥାଏ। ଜଣେ ଅନ୍ୟ ଜଣଙ୍କ ଗଛରୁ ମହୁଲ ଫୁଲ ସଂଗ୍ରହ କରିନଥାଏ। ଫୁଲ ଝଡ଼ିବା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଫୁଲ ସଂଗ୍ରହ ହୋଇଥାଏ।ଏହି ସମୟରେ ଆଦିବାସୀ ମାନେ ବହୁତ୍ ଖୁସି ରୁହନ୍ତି। ଦୈନିକ ଗୋଟିଏ ଗଛରୁ ହାରାହାରି ୧୫ ରୁ ୨୯ କେଜି ମହୁଲ ସଂଗ୍ରହ କରିଥାନ୍ତି। ସଂଗୃହିତ ମହୁଲ କୁ କିଛି ଦିନ ଖରାରେ ଶୁଖାଇବାକୁ ପଡ଼ିଥାଏ,ପରେ ଏହି ଫୁଲ ବିକ୍ରି ଯୋଗ୍ୟ ହୋଇଥାଏ।ସରକାରୀ ସ୍ତରରେ ମହୁଲ ଫୁଲ କିଲୋ ପ୍ରତି ୪୯ ରୁ ୫୦ ଟଙ୍କା ହୋଇଥିବା ବେଳେ ସ୍ଥାନୀୟ ଆଦିବାସୀ ୨୦ରୁ ୨୫ଟଙ୍କାରେ ବିକ୍ରୟ କରିଥାନ୍ତି । ବର୍ଷା ପୂର୍ବରୁ ଗଛରୁ ମହୁଲ ଫୁଲ ଝଡ଼ିବା ପରେ ଟୋଲ ସଂଗ୍ରହ ହୋଇଥାଏ। ଏଥିରୁ ଲୋକେ ଖାଇବା ତେଲ ସଂଗ୍ରହ କରିଥାନ୍ତି। ଖାଦ୍ୟ ବ୍ୟତୀତ ଶରୀରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଚର୍ମ ରୋଗ,କାଛୁ କୁଣ୍ଡିଆ ଯାଦୁ ଆଦି ଚର୍ମ ରୋଗର ଔଷଧ ଭାବେ ବ୍ୟବହାର କରିଥାନ୍ତି ବୋଲି ମହୁଲ ଫୁଲ ସଂଗ୍ରହକାରୀ ମାନେ କହିଥାନ୍ତି। ମହୁଲ ଗଛ ବେଶ୍ ଉପକାରୀ ଗଛ ହୋଇଥିବାରୁ ଲୋକେ ଏହାକୁ ସଂରକ୍ଷିତ କରି ରଖିଥାନ୍ତି। ଗୋଟିଏ ଗଛରୁ ସର୍ବାଧିକ ୪ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମହୁଲ ଫୁଲ ସଂଗ୍ରହ ହୋଇଥାଏ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମହୁଲ ଫୁଲ କିଣା ଗଲେ ପ୍ରକୃତ ମୂଲ୍ୟ ଲୋକେ ପାଇପାରନ୍ତେ ବୋଲି ମହୁଲ ଗୋଟାଳିମାନେ କୁହନ୍ତି । ଏଥିନେଇ ସରକାର ମହୁଲ ଫୁଲ ପ୍ରାଶାସନିକ ସ୍ତରରେ କ୍ରୟ କରିବାକୁ ଜନସାଧାରଣ ରେ ଦୃଢ଼ ଦାବୀ ହେଉଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More