ଭୁବନେଶ୍ବର(ସଂଘର୍ଷ ମିଡିଆ ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କରୋନା କଟକଣାରେ ୬୫ କେନ୍ଦ୍ରରେ ୫୮ ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷା ଦେବେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ କହିଛନ୍ତି। ପରୀକ୍ଷା କମ୍ପ୍ୟୁଟର ଆଧାରିତ (ସିବିଟି) ମାଧ୍ୟମରେ ହେବାକୁ ଥିବାବେଳେ ଦିନକୁ ତିନିଟି ଅଧିବେଶନ (ସିଫ୍ଟ)ରେ ପରୀକ୍ଷା ଚାଲିବ। ପ୍ରଥମ ଅଧିବେଶନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା, ଦ୍ବିତୀୟ ଅଧିବେଶନ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ୨ଟା ଏବଂ ତୃତୀୟ ଅଧିବେଶନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ରେ ସରିବ।