ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲିବା କାର୍ଯ୍ୟ। ବିଶ୍ୱକର୍ମା ମହାରଣା, ଭୋଇ ଓ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଏହାକୁ ନେଇ ଜଗନ୍ନାଥ ବଲ୍ଲଭ ମଠରେ ପୁନଃ ନିର୍ମାଣ କରିବେ। ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ଚର୍ମ ଚକ୍ଷୁରୁ ରଥଯାତ୍ରା ଦେଖିପାରିନଥିବା ଭକ୍ତ ସଂଗ୍ରହାଳୟରେ ଦେଖିବେ ତିନି ରଥକୁ। ସୂଚଯୋଗ୍ୟ, ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ସଂଗ୍ରହାଳୟରେ ରଖାଯିବ। ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ତିନି ରଥକୁ ସଂରକ୍ଷିତ କରି ସଂଗ୍ରହାଳୟରେ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବ ମୁତାବକ ସିଂହଦ୍ୱାର ରେ ଥିବା ତିନି ରଥକୁ ଖୋଲାଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥବଲ୍ଲଭ ମଠରେ ରଖାଯିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି କାମ। ପ୍ରାଥମିକ ଭାବେ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭାଙ୍ଗିବାର କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା, ଭୋଇ ଓ ଓଝା ମହାରଣା ସେବାୟତମାନେ।