ସୁବର୍ଣ୍ଣପୁର (ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସମୁଦାୟ 15 ଗୋଟି ଗାଡି ଜବତ ହୋଇଥିବା ବେଳେ 12 ଜଣ ଗାଡି ଚାଳକଙ୍କୁ ଗିରଫ କରାଯାଇଛି l ତିନୋଟି ଡ୍ରାଇଭିଂଗ ଲାଇସେନ୍ସ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି l ଚଳିତ ମେ ମାସ ପ୍ରଥମ ସପ୍ତାହରୁ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନରେ ବସିଥିବା ଉଭୟ ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l ଏଥିରେ ବ୍ୟତିକ୍ରମ ହେଲେ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ହ୍ରାସ ତଥା ଜନସାଧାରଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଡି ମୋଟର ଯାଞ୍ଚ କଡାକଡ଼ି କରାଯାଉଛି l ଜିଲ୍ଲା ପରିବହନ ବିଭାଗର ଏପରି ଉଦ୍ୟମ କୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି l ପୋଲିସ ଓ ପରିବହନ ବିଭାଗ ତରଫରୁ ଏପରି କାର୍ଯ୍ୟନୁଷ୍ଠାନରେ ମଦ୍ୟପ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।