ଜଗତସିଂହପୁର(ସଂଘର୍ଷ ମିଡିଆ) : -ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡିଶାଳ ଭାବେ ଖ୍ୟାତ ଅଳକା ଆଶ୍ରମର ଶତବାର୍ଷିକୀ ସମାରୋହର ବର୍ଷବ୍ଯାପୀ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ରଘୁନାଥପୁର ବ୍ଲକର ଧରାଧରପୁର ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଓ ଅଳକା ଆଶ୍ରମର ଗୌରବମୟ ଗାଥାକୁ ସାଧାରଣରେ ଉଜାଗର କରିବାପାଇଁ ଅଳକା ଆଶ୍ରମ ସ୍ମୃତିଚାରଣ ଯାତ୍ରାର ଶୁଭାରମ୍ଭ କରାଯାଇଛି| ଏହି ଅବସରରେ ଅଳକା ଆଶ୍ରମ ସମ୍ପର୍କିତ ଏକ ପୃଷ୍ଠା ବିଶିଷ୍ଟ ସୂଚନା ପତ୍ର ସର୍ବସାଧାରଣଙ୍କ ପାଇଁ ଉନ୍ମୋଚିତ କରାଯାଇଛି| ଆସନ୍ତା ପନ୍ଦର ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଳକା ଆଶ୍ରମ ସ୍ମୃତି ଚାରଣ ଯାତ୍ରା ପରିକ୍ରମା କରି ଏହି ଜାତୀୟ ଅନୁଷ୍ଠାନର ଗୁରୁତ୍ବ ବିଷୟରେ ସାଧାରଣରେ ସୂଚନା ପ୍ରଦାନ କରାଯିବ| ବିଶିଷ୍ଟ ଶିକ୍ଷାବିତ ଶିବାନୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବୁଦ୍ଧିଜୀବୀ, ସମାଜସେବୀ ଓ ଯୁବବ୍ଯକ୍ତିତ୍ବ ଯୋଗଦେଇ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ବିଶ୍ଵନାଥ ଦାସଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସ୍ବରୂପ ତାଙ୍କ ଅମର ଆତ୍ମପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନୀରବ ପ୍ରାର୍ଥନା କରିଥିଲେ| ଅଳକା ଆଶ୍ରମର ପୃଷ୍ଠଭୂମିରେ ଓଡ଼ିଶାର ସମସ୍ତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗମୟ ଜୀବନର ଅଧ୍ୟାୟ ଗୁଡିକ ସଂକ୍ଷେପରେ ଆଲୋଚନା କରିବା ସହିତ ବର୍ଷବ୍ଯାପୀ ଆୟୋଜିତ ହେଉଥିବା ଏହି ଶତବାର୍ଷିକୀ ସମାରୋହର ସମାବର୍ତ୍ତନ ଉତ୍ସବ ଆସନ୍ତା ବର୍ଷ ଜାନୁଆରୀ ମାସ ୨୬, ୨୭, ୨୮ ଓ ୨୯ ତାରିଖରେ କିପରି ବିଶାଳ ଓ ଭବ୍ୟ ରୂପରେ ଆୟୋଜନ କରାଯିବ ସେ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା| ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଓ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମାଟିର ଏହି ମହାପର୍ବର ସ୍ଵରୂପକୁ ଗ୍ରାମାଞ୍ଚଳରୁ ନେଇ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ କରିବା ପାଇଁ ନିସର୍ତ୍ତ ସହଯୋଗ ଦେବାକୁ ଉପସ୍ଥିତ ସମସ୍ତ ବ୍ୟକ୍ତି ତାଙ୍କର ଦୃଢ ମତ ରଖିଥିଲେ| ଉକ୍ତ ବୈଠକରେ ବିଶିଷ୍ଟ ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, କବି ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ, ଶିକ୍ଷାବିତ ଭଗବାନ ଦାସ, ଅଧ୍ୟାପକ ପ୍ରତାପ କୁମାର ଲେଙ୍କା, ସାମ୍ବାଦିକ ବିଜୟ କୁମାର ସ୍ବାଇଁ, ନିତ୍ୟାନନ୍ଦ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି, ରମା ରଞ୍ଜନ ସ୍ବାଇଁ, ଅଜିତ କୁମାର ମୁଖାର୍ଜୀ, ଗଦାଧର ପାଣି, ସୁରେଶ ଚନ୍ଦ୍ର ରାଉତ, ସୁରେନ୍ଦ୍ର ନାଥ ରାଉତ, ବସନ୍ତ ମଞ୍ଜରୀ ଦାସ, ମଂଜୁଲତା ରାଉତ, ମମତା ଦାସ, ହେମନ୍ତ କୁମାର ନାୟକ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ| ଏହି କାର୍ଯ୍ୟକ୍ରମକୁ ରବିନାରାୟଣ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସମସ୍ତ ଆୟୋଜନ ସରିତ କୁମାର ମହାପାତ୍ର, ଆଲୋକ ରଞ୍ଜନ ଦାସ, ନଗେନ୍ଦ୍ର ନାଥ ସ୍ବାଇଁ, ସୁରେଶ କୁମାର ମଲ୍ଲିକ, ଶୁଭକାନ୍ତ ପଡ଼ିହାରୀ, ସନାତନ ଦାସ ଓ ଆୟୋଜନ କମିଟିର ଅନ୍ୟ ସଦସ୍ୟ ମାନେ ସୂଚାରୁରୂପେ ସମ୍ପାଦନ କରିଥିଲେ|ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।