ଭଦ୍ରକ(ସଂଘର୍ଷ ମିଡିଆ ) : : ଆସୁଛି ବାତ୍ୟା । ଜିଲ୍ଲାରେ ବହୁଛି ଘନଘନ ବୈଠକ । ପ୍ରଶାସନ ପକ୍ଷରୁଏବେ ପ୍ରସ୍ତୁତି ଜୋରଦାର କରାଯାଇଛି ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପାଇଁ ଭଦ୍ରକରେ ପହଞ୍ଚିଲେ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଭଦ୍ରକ ଜିଲ୍ଲା ବୁଲବୁଲ ଓ ଫନି ଭଳି ବାତ୍ୟାରେ ଦୁଇ ଦୁଇ ଥର ପ୍ରଭାବିତ ହୋଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଥର ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଧାମରା , ଚାନ୍ଦବାଲି ଓ ବାସୁଦେବପୁର ଉପରେ ସ୍ଵତନ୍ତ୍ର ଦୃଷ୍ଠି ଦିଆଯାଉଛି । ସମୁଦ୍ର ତଟବର୍ତ୍ତୀ ମାଛଧରା ଯେଟିରୁ ସମସ୍ତ ଟ୍ରଲର ଓ ଭୁଟୁଭୁଟିକୁ ବନ୍ଦ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ସମୁଦ୍ର ତଟବର୍ତ୍ତୀ 3 କିଲୋମିଟର ପରିଧିରେ ଥିବା ସମସ୍ତ ଗାଁ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଶୌଚାଳୟ, ପାଣି, ବିଦ୍ୟୁତ ଓ ଖାଦ୍ୟର ବ୍ଯବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ବ୍ୟତିତ ଜିଲ୍ଲାର ଦୁଇଟି ବ୍ଲକରୁ 22 ପଞ୍ଚାୟତରୁ 56000 ଲୋକଙ୍କୁ ବିଭିନ୍ନ ସ୍ଥାନରେ ଥିବା 600 ଟି ସ୍କୁଲ ଓ 106 ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 84 ଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ସ୍ଥାନାନ୍ତରିତ ବ୍ଯବସ୍ଥା କରାଯିବ ବୋଲି ସୂଚନା ମିଳିଛି। କରୋନା ସତର୍କତା ଅବଲମ୍ବନ କରି ବାତ୍ୟାର ଆଶ୍ରୟସ୍ଥଳୀକୁ କିପରି ବିପନ୍ନ ମାନଙ୍କୁ ସ୍ଥାନାନ୍ତରିତ କରାଯିବ ସେ ନେଇ ବିଶେଷ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।