ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିରର ବିକାଶ କାର୍ଯ୍ୟ ଏହି ଅର୍ଥ ବିନିଯୋଗ ଉଦେଶ୍ୟ ରାଷ୍ଟ୍ରପତି ନିଜ ଦରମାରୁ ଏହି ଏକ ଲକ୍ଷ ଟଙ୍କା ଚେକ ପ୍ରଦାନ କରିଛନ୍ତି। ଏହାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁରି ଭୁରି ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ବିକାଶ ଅଭିଯାନ ରେ ମହାମହିମ ରାଷ୍ଟ୍ରପତି ସାମିଲ ହୋଇ ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି। ତାଙ୍କ ଫେସବୁକ ଆକାଉଣ୍ଟରୁ ନିଜର ମତ ବ୍ୟକ୍ତ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ବିଶ୍ୱର ଓଡ଼ିଆ ଓ ହିନ୍ଦୁ ସମାଜଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ମହାମହିମ ରାଷ୍ଟ୍ରପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଦେଇଛନ୍ତି। ଏଥି ସହିତ ସେ ଭାରତ ତଥା ବିଶ୍ଵରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗ ଦର୍ଶନରେ ଏହି ନିଧି ସମର୍ପଣ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି । ଗତ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଶ୍ରୀମନ୍ଦିର ର ବିକାଶ ଉଦେଶ୍ୟରେ ଦାନ କରିଥିଲେ। ସମସ୍ତ ଓଡ଼ିଆ ମାନେ ନିଜ ଆୟର କିଛି ଅଂଶ ଶ୍ରୀମନ୍ଦିରର ବିକାଶ ପାଇଁ ଦାନ କରିବକୁ ଅପିଲ କରିଥିଲେ। ସେହିପରି ଏନେଇ ନିଧି ସମର୍ପଣ ନାମକ ଏକ ଅଭିଯାନ ଗଜପତି ମହାରାଜଙ୍କ ନେତୃତ୍ୱରେ ଆରଂଭ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।