ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମନ୍ଦିର ରତ୍ନଭଣ୍ଡାରକୁ ସୋମବାର ଦିନ ସ୍ୱର୍ଣ୍ଣ ଅଳଙ୍କାର ଗୁଡିକ ସ୍ଥାନାନ୍ତର କରାଯାଇଛି । କିଛି ଦିନ ତଳେ ଜଣେ ଦାତା ନାମ ଗୋପନ ରଖି ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦାନ କରିଥିଲେ । ସ୍ୱର୍ଣ୍ଣ ଅଳଙ୍କାର ଗୁଡିକର ଓଜନ ପ୍ରାୟ ୪ କେଜି ୮୫୮ ଗ୍ରାମ, ହୋଇଥିବା ବେଳେ ୩ କେଜି ୮୭୬ ଗ୍ରାମ ରୂପା ଅଳଙ୍କାର ଆକାରରେ ମିଳିଥିଲା । ମିଳିଥିବା ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର, ଝୋବା ଓ ଶ୍ରୀମୁଖ ପଦ୍ମ ଅଛି । ସୁନାରେ ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡକୀ, ୨ଟି ଝୋବା ରହିଛି । ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା ମଧ୍ୟ ରହିଛି । ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା ରହିଛି । ଅଳଙ୍କାର ଗୁଡ଼ିକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରହିଥିଲା ସୋମବାର ଅପରାହ୍ନ ରେ କଡା ସୁରକ୍ଷା ମଧ୍ୟରେ ଅଳଙ୍କାର ଗୁଡିକୁ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।