ଶ୍ରୀମନ୍ଦିର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ (ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର। ଜୁନ୍ ୪ତାରିଖ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହି ଅପିଲ କରିଛନ୍ତି। କୋଭିଡ୍ ସମୟରେ ଶ୍ରୀମନ୍ଦିର ପ୍ରଶାସନୀକ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଡ୍ଯୁଟିରେ ରହି କାର୍ଯ୍ଯ ନିର୍ବାହ କରୁଛନ୍ତି। ଶ୍ରୀମନ୍ଦିର ଭିତରେ ଓ ବାହାରେ ନିତିକ୍ରାନ୍ତି ସହିତ ରଥ ନିର୍ମାଣ ସେବକଙ୍କ ରହିବା, ଖାଇବା ଆଦି ବିଭିନ୍ନ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତି ରହିଛି। ଫଳରେ ଲୋକଙ୍କ ସଂସ୍ପର୍ଶରେ ଆସି କର୍ମଚାରୀ ମାନେ ଅନେକ ସମୟରେ ପ୍ରଭାବିତ ହୋଇଛନ୍ତି। ଏମିତିକି ଦୁଇଜଣ କର୍ମଚାରୀ ମୃତ୍ୟୁ ବରଣ କରିଥିଲେ। କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟିକାକରଣ କାର୍ଯ୍ଯକ୍ରମ ଠାରୁ ଆରମ୍ଭ କରି ନିଳାଚଳ ଭକ୍ତ ନିବାସ କୋଭିଡ୍ କେୟାର ସେଣ୍ଟର ମାଧ୍ୟମରେ ଚିକିତ୍ସା ଯୋଗାଇ ଦିଆଯାଇଛି। କରୋନା ସମୟରେ ନିଜ ଜିବନକୁ ବିପନ୍ନ କରି ସେବା ଯୋଗାଉଥିବା ଯୋଗୁଁ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏମିତିକି ମୃତ୍ୟୁ ବରଣ କରିଥିବା ଜେଟିପି ପୃଥିମନ୍ଯୁ ଦାସ ଓ ଚର୍ଚ୍ଚା ପ୍ରଶାସକ ପ୍ରମୋଦ ଦାସଙ୍କୁ ସମାନ ସର୍ତ୍ତାବଳୀ ଆଧାରରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।