ଶ୍ରୀକ୍ଷେତ୍ରରେ ଶେଷ ହେଲା ଚନ୍ଦନଯାତ୍ରା

34

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରାର ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି। ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି। ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ, ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ। ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ।ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି। ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା। ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଅନ୍ତିମପର୍ବ ଶେଷ ହୋଇଚି।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିଥିଲେ। ବୁଧବାର ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଭକ୍ତଙ୍କ ଗହଳି ଲାଗିଥିଲା। ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନ ପଟୁଆରରେ ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିଛନ୍ତି। ସିଂହଦ୍ୱାର ଠାରୁ ବଡ଼ଦାଣ୍ଡ, ମାର୍କେଟଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା।ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା। ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଥିଲେ। ତେବେ ଆଜି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ। କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଏହାପରେ ପୁନଶ୍ଚ ୨୧ ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More