କଳାହାଣ୍ଡି ( ସଂଘର୍ଷ ମିଡିଆ ) : ସରକାର ସାଧାରଣ ଲୋକଙ୍କ ଗମନା ଗମନର ସୁବିଧା ସୁଯୋଗକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା କରିଛନ୍ତି । ଯୋଜନା ଅନୁଯାୟୀ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ମଧ୍ୟ ହୋଇଛି । ହେଲେ ବିଭିନ୍ନ ସମୟରେ ରାସ୍ତା ଗୁଡିକ ନିର୍ମାଣ ନିମନ୍ତେ ଠିକା ନେଇଥିବା ଠିକା ସଂସ୍ଥାର ବେପରୁଆ ମନଭାଵ ଯୋଗୁଁ ରାସ୍ତା ନିର୍ମାଣର ଦୁରବସ୍ତା ଦେଖାଯାଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟରୁ ଗ୍ରାମପଞ୍ଚାୟତର କୁଟରୁ ଛକ ଠାରୁ ସାନ-କୁଟରୁ ପର୍ଯ୍ୟନ୍ତ ରାସ୍ତା ମରାମତି ଅଭାବରୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି । ଏବଂ ଏହି କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ ତଦାରଖ ପାଇଁ ଆସୁନଥିଲେ ବୋଲି ବଡ଼-କୁଟରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିଲେ ହେଁ ଥରୁଟିଏ ମଧ୍ୟ ମରାମତି ହୋଇନଥିବାରୁ ପିଚୁ ଉଠିବା, ଗର୍ତ ସୃଷ୍ଟି ହେବା ପ୍ରଶାସନର ସ୍ୱଚ୍ଛତା ଉପରେ ଆଙ୍ଗୁଳି ନିର୍ଦେଶ କରିବା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁଟରୁ ଛକ ଠାରୁ ସାନ-କୁଟରୁ ଗାଁ ପର୍ଯ୍ୟନ୍ତ ଲମ୍ବ ୭୫୦ କି.ମି. ଯାଏଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହୋଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ଉକ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଯାହାଫଳରେ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଦେଇ ମିନଗୁର,ବଡ଼-କୁଟରୁ , ଖଙ୍ଗାର ଗୁଡା , ଦୁଲକୀ ବନ୍ଧ, ଦଣ୍ଡେଇ ଖୋଲ ଗ୍ରାମର ଏବଂ ଆଖପାଖ ଅଂଚଳର ହଜାର ହଜାର ଜନସାଧାରଣ ପ୍ରତିଦିନ ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ କଲେଜ ତଥା ବ୍ୟାଙ୍କ କାର୍ଯ୍ୟ ପାଇଁ ଯାଇଥାନ୍ତି । ତେବେ ରାସ୍ତାର ଅବସ୍ଥା ଯାହା ସେଥିରେ ଦୁର୍ଘଟଣାର ସମ୍ଭାବନା ବଢିଯାଉଛି । ସରକାର କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରି ସାଧାରଣ ଲୋକଙ୍କୁ ଉପଯୁକ୍ତ ଗମନା ଗମନର ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି , ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ମନୋଭାବ କାରଣରୁ ରାସ୍ତା ନିର୍ମାଣରେ ଖୁବ ଅନିୟମିତତା ପାଇଁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ,ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।