କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ବ୍ଲକ ଗାଙ୍ଗପଡା ପଞ୍ଚାୟତରେ ଖୁଲମଖୁଲା ମନରେଗା କାର୍ଯ୍ୟରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି । ଏବେ ମନରେଗା କାର୍ଯ୍ୟରେ ଗାଁ ମାନଙ୍କର ଗଳିରାସ୍ତା ପକ୍କା କରାଯାଇ ସେଥିରେ ଟାଇଲି ବିଛା ଯାଉଛି । ପଞ୍ଚାୟତରେ ଏପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟକ୍ତିଗତ ଗଳିରାସ୍ତା ନିର୍ମାଣ ହେଲାଣି । ଏହିସବୁ ରାସ୍ତାକୁ ପଞ୍ଚାୟତର ନିର୍ଦ୍ଦିଷ୍ଟ କେଇଜଣ ଲୋକେ କାମକରୁଛନ୍ତି । ରାସ୍ତାର ମାନ ଅତ୍ୟନ୍ତ ନିମ୍ନମାନର ହେଉଛି । କେଉଁଠି ଟାଇଲି ବିଛା ନସରୁଣୁ ଟାଇଲି ଉଠି ବାହାରିଗଲାଣି ତ କେଉଠି ସିମେଣ୍ଟ ଧସି ଗଲାଣି । ଅନେକ ସ୍ଥାନରେ ରାସ୍ତାରେ ସରକାର କେତେ ଟଙ୍କାଖର୍ଚ୍ଚ କଲେ ତାହା ଫଳକରେ ସୂଚନା ଦିଆଯିବାକୁ ଥିଲେ ମଧ୍ୟ ସୂଚନାଫଳକ କେଉଁଠି ଅଛିତ କେଉଁଠି ଦେଖିନାହିଁ । ଯେଉଁଠି ସୂଚନା ଫଳକ ରହିଛି ସେଠାରେ ରାସ୍ତାର ଅଟକଳ ଅର୍ଥ ଲେଖାଯାଉନି । ଏସମ୍ପର୍କରେ ଗ୍ରାମର କିଛି ଲୋକ ପଞ୍ଚାୟତ ଦାୟିତ୍ୱରେ ରହିଥିବା ଜଣେ ମହିଳା ଯନ୍ତ୍ରୀଙ୍କ ଦୃଷ୍ଟିକୁ ନେଇଥିଲେ । ମହିଳା ଯନ୍ତ୍ରୀ ଜଣକ ଅଭିଯୋଗକାରୀଙ୍କ ନାମ ଓ ଫୋନ ନମ୍ବର ସମ୍ପୃକ୍ତ ତଥାକଥିତ ଠିକାଦାରଙ୍କୁ ଜଣାଇଦେବାରୁ ଠିକାଦାର ସମ୍ପୃକ୍ତ ଅଭିଯୋଗକାରିଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେବା ଆରମ୍ଭ କରିଛନ୍ତି । ଏହି ଘଟଣା ସୂଚନା ଦେଉଛି କି ପଞ୍ଚାୟତ ଦାୟିତ୍ୱରେ ରହିଥିବା ନାରୀଯନ୍ତ୍ରୀ ଜଣକ କାମରେ ଠକୁଥିବା ଠିକାଦାରଙ୍କ ପ୍ରତି ଅଧିକ ଅନୁକମ୍ପା ଶୀଳ ହୋଇପଡିଛନ୍ତି । ଠିକାଦାରଙ୍କ ପ୍ରତି ନାରୀଯନ୍ତ୍ରୀଙ୍କ ଅଧିକ ଅନୁକମ୍ପା, ଉଭୟଙ୍କ ମଧ୍ୟରେ ସରକାରୀ ଅର୍ଥ ହଡପ କରିବାର ଚକ୍ରାନ୍ତକୁ ଇଙ୍ଗିତ କରୁଛି । ଠିକାଦାରଙ୍କର ନିମ୍ନମାନର କାମଗୁଡିକୁ ବିଲ କରି ଉଭୟ ସରକାରୀ ଅର୍ଥକୁ ବାଣ୍ଟି ନେବାର ଏହାଏକ ନଗ୍ନ ନମୂନା ବୋଲି ସୂଚନାଦେଉଛି । ଏସବୁ କାମରେ ସରପଞ୍ଚ ଙ୍କ ନିରବଦ୍ରଷ୍ଟା ସନ୍ଦେହ କୁ ଅଧିକ ବଢାଉଛି । ଏସମ୍ପର୍କରେ ଆମେ କେନ୍ଦ୍ରାପଡା ବ୍ଲକର ବିଡିଓ ଅଶ୍ବିନୀ ଦାସଙ୍କ ନଜରକୁ ନେଇଥିଲୁ । ବିଡିଓ ଶ୍ରୀ ଦାସ ଏପରି ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । ସମ୍ପୃକ୍ତ ମହିଳା ଯନ୍ତ୍ରୀଙ୍କର ଏତାଦୃଶ ସନ୍ଦେହ ଜନକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ କରାଯିବାକୁ କହିଛନ୍ତି । ତଦନ୍ତରେ ଦୋଶି ସାବ୍ୟସ୍ତ ହେଲେ ବିଲ୍ ବନ୍ଦ କରାଯିବା ସହିତ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।