ଭଦ୍ରକ (ସଂଘର୍ଷ ମିଡିଆ ) : ଆଜି ୯ ଟା ସମୟରେ ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ପରେ ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଲେଣ୍ଡଫଲ କରିଛି ବାତ୍ୟା ୟଶ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି ମକଚି ଭାଙ୍ଗି ଦେଇଛି । ଉଡ଼ାଉ ନେଇଛି ଚାଳ ଘରର ଛପର । କେଉଁଠି ଆଜବେଷ୍ଟସ୍ ବି ଉଡ଼ି ଯାଇଛି । ବିଦ୍ୟୁତ ଖୁଣ୍ଟକୁ ଉପାଡି ଫୋପାଡି ଦେଇଛି ବାତ୍ୟା । ସନ୍ଥିଆରେ ଥିବା ପୋଲିସ କେମ୍ପକୁ ମାଟିରେ ମିଶେଇ ଦେଇଛି । ଗତକାଲି ଠାରୁ ବର୍ଷା ଲାଗିରହିଥିବାରୁ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଏବେ ପାଣି ଭର୍ତ୍ତି ହୋଇଛ । ବାତ୍ୟା ଭଦ୍ରକ ଉପକୂଳ ଅତିକ୍ରମ କରିବା ବେଳେ ସ୍ଥଳଭାଗକୁ ମାଡ଼ି ଆସିଥିଲା ସମୁଦ୍ର । ବଡ଼ ବଡ଼ ଜୁଆର ଉଠିଥିଲା । ସମୁଦ୍ର କୂଳିଆ ଗାଁରେ ପଶିଛି ପାଣି । ପ୍ରବଳ ବର୍ଷା ଯୋଗୁ କିଛି ଗାଁରେ ପାଣି ଜମିଛି । ଧାମରା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପ୍ରବଳ ବର୍ଷିଛି । ଗାଁ ଗାଁରେ ପଶିଛି ସମୁଦ୍ର ପାଣି । ଲୋକଙ୍କ ଘରେ ବି ପଶିଛି ପାଣି । ସହରରେ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀରେ ବଢିବାରେ ଲାଗିଛି ପାଣି । ପବନର ବେଗ କମିଗଲା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି NDRF,ODRF, ଅଗ୍ନିଶମ ବାହିନୀ ଯୁଦ୍ଧ କାଳୀନ ଭିତ୍ତିରେ ଲାଗିପଡିଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ମଧ୍ୟ ପଛରେ ପଡିନାହାନ୍ତି । ଆଜି ରାତିସୁଦ୍ଧା ସହରରେ ଲାଇନ୍ ଦେବାପାଇଁ ଏମାନେ ମଧ୍ୟ ଲାଗି ପଡ଼ିଛନ୍ତି । ଜିଲ୍ଲାରେ ଏବେ ସୁଦ୍ଧା କେହି ମୃତାହତ ସୋଇଥିବା ସୂଚନା ମିଳିନାହିଁ ।