ପୁରୀ (ସଂଘର୍ଷ ମିଡିଆ ) : ବାତ୍ୟା ୟାସ ଟଳିବା ପରେ ପୁଣିଥରେ ଚଳଚଞ୍ଚଳ ହୋଇଛି ରଥଖଳା। ତିନିରଥର ତୁମ୍ୱ ବିନ୍ଧ ସହ ଅର ସାଲ କାମକୁ ଜୋରଦାର କରଯାଇଛି। ଦୁଇଟି ଲେଖାଏଁ ତୁମ୍ୱରେ ଅର ସଂଯୋଗ ପାଇଁ ପ୍ରତି ତୁମ୍ୱ ନିମନ୍ତେ ୧୬ ଟି ଲେଖାଏଁ ୩୨ ଟି ଅରର ସାଲ କାମ ଶେଷ ହୋଇଛି। ତାଳଧ୍ୱଜ ରଥର ୧୪ ଟି ତୁମ୍ୱରୁ ୫ ଟି ତୁମ୍ୱର ବିନ୍ଧ କାମ ଶେଷ ହୋଇଥିବା ବେଳେ ଆଉ ୯ ଟି ତୁମ୍ୱର ବିନ୍ଧ କାମ ଜାରୀ ରହିଛି। ସେହିପରି ୧୬ ଟି କୋଣଗୁଜ ମଧ୍ୟରୁ ଗୁଜ ଚଉପଟ ପରେ ସେଥିରେ ରୂପାକର ସେବକ ମାନେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଦେବଦଳନ ରଥର ଅରପଟ୍ଟା ସାଇଜ ପରେ ତୁମ୍ୱରେ ଅର ସଂଯୋଗ ପାଇଁ ଦୁଇଟି ତୁମ୍ୱରେ ୧୬ ଯୋଡ଼ା ଅର ସାଲ କାର୍ଯ୍ୟ ଶେଷ ହୋଇଛି। ୧୨ ଟି ତୁମ୍ୱର ବିନ୍ଧ କାମ ଶେଷ ହୋଇଛି। ମୋଟ ୨୧ ଟି ଗୁଜ ପାଇଁ ଗୁଜ କାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଛି। ନନ୍ଦିଘୋଷ ରଥର ୧୬ ଟି ତୁମ୍ୱରୁ ୮ ଟି ର ବିନ୍ଧ କାମ ଶେଷ ହୋଇଛି। ବାକି ୮ ଟି ର ବିନ୍ଧ କାମ ଚାଲିଛି। ପାର୍ଶ୍ୱ ଦେବାଦେବୀ ପାଇଁ ଦୁଇଟି ଯଳଯନ୍ତ୍ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ସେପଟେ ଓଝା ସେବକ ମାନେ ଦୋଳବେଦୀକୋଣ କମାରଶାଳାରେ ତିନରଥ ପାଇଁ ଆବଶ୍ୟକ ୪୨ ତୁମ୍ୱର ୪୨ ଯୋଡ଼ା ପନ୍ଦାରୀ ଓ ଅରକଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି। ରଥନିର୍ମାଣରେ ସଂପୃକ୍ତ ଆଉ କୌଣସି ନୂଆ ସେବକ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆକ୍ରାନ୍ତ ସେବକଙ୍କ ଚିକିତ୍ସା ଚାଲିଛି। ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ ଟି ଚକ ଅଖ ସଂଯୋଗ କରାଯାଇ ଡ଼େରାଯିବ।