ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ରାଜଗାଙ୍ଗପୁର କାରାଖାନାରେ 50ତମ ଜାତୀୟ ସୁରକ୍ଷା ସପ୍ତାହ ଗତକାଲି ପାଳିତ ହୋଇଯାଇଛି l ଡାଲମିଆ ଅଡିଟୋରିଅମ ଠାରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗର ଉପନିର୍ଦେଶକ ଶ୍ରୀ ବିଭୁ ପ୍ରସାଦ ଓ ସହାୟକ ନିର୍ଦେଶକ ମନୋଜ କୁମାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ l କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ସୁନୀଲ ଗୁପ୍ତା, ରାଜଗାଙ୍ଗପୁର କାରଖାନା ମୁଖ୍ୟ ଲୋକେଶ କୁମାର ବାହେତି ଏବଂ ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ସୁନିତା ଗୁପ୍ତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ l ଡାଲମିଆ ସିମେଣ୍ଟର ଯାନ୍ତ୍ରିକ ବିଭାଗ ମୁଖ୍ୟ ଅରବିନ୍ଦ ସିଂ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ସୁରକ୍ଷା ବିଭାଗ ମୁଖ୍ୟ ବିଚିତ୍ର କୁମାର ବଳ ମାସିକ ସୁରକ୍ଷା ବିବରଣୀ ପାଠ କରିଥିଲେ l ଏହି ଅବସରରେ ସମସ୍ତଙ୍କୁ ସମ୍ବୋଧନ କରି ଶ୍ରୀ ଗୁପ୍ତା କହିଥିଲେ, ସୁରକ୍ଷା ସପ୍ତାହ ପାଳନ କରିବାର ପ୍ରକୃତ ଉଦେଶ୍ୟ ହେଉଛି ବର୍ଷ ସାରା କରାଯାଇଥିବା ସମସ୍ତ କାର୍ଯ୍ୟରେ ସୁରକ୍ଷା ସମ୍ବନ୍ଧିତ ଆମର ସଠିକ ତଥା ଭୁଲ ପଦଃକ୍ଷେପର ଅନ୍ବେଷଣ କରିବା ଯଦ୍ୱାରା ଭବିଷ୍ୟତ ଭୁଲକୁ ଏଡାଇ ହେବ l ଶ୍ରୀ ବାହେତି କହିଥିଲେ, ସୁରକ୍ଷା ଆମ ସମସ୍ତଙ୍କର ପ୍ରାଥମିକତା l ଏଠାରେ ଆମେ ଯେ କୌଣସି କାମ କରୁ ତାକୁ ସୁରକ୍ଷା ନିର୍ଦ୍ଦେଶାବଳୀ ମଧ୍ୟରେ ରଖିବାକୁ ହେବ ଯାହାଫଳରେ ଆମ ଦ୍ୱାରା କୋଣସି ଭୁଲ ହେବ ନାହିଁ l ଅତିଥି ବିଭୁ ପ୍ରସାଦ କହିଥିଲେ ଆମକୁ ସୁରକ୍ଷା ଜଡିତ ଛୋଟ ଛୋଟ କଥା ଶିଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ସୂଚନା ବିଷୟରେ ଆଲୋକପାତ କରିବା ଉଚିତ l ଶ୍ରୀ ମିଶ୍ର କହିଥିଲେ ଆଜି ଶିଳ୍ପ ଜଗତରେ ଅନେକ ଆଧୁନିକ ଜ୍ଞାନକୌଶଳ ବ୍ୟବହୃତ ହେଉଛି କିନ୍ତୁ ଶିଳ୍ପ ଦୁର୍ଘଟଣାକୁ କମ କରିବାପାଇଁ ଆମକୁ ୩ ଏମ (ମେସିନ, ମେନ ଓ ମେଥୋଡ) ପ୍ରତି ପ୍ରମୁଖ ଧ୍ୟାନ ଦେବାକୁ ପଡିବ l ଏହି ଅବସରରର କର୍ମଚାରୀଙ୍କ ଦ୍ୱାରା ସୁରକ୍ଷା ବିଧି ଉପରେ ଏକ ପାଲା ପରିବେଷଣ କରାଯାଇଥିଲା ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ସୁରକ୍ଷା ସପ୍ତାହ ସମୟରେ କମ୍ପାନୀ ଦ୍ୱାରା ଏକ ଭ୍ୟାନ ସାହାଯ୍ୟରେ ରାଜଗାଙ୍ଗପୁର ଅଂଚଳ ପରିକ୍ରମା କରାଯାଇ ସମସ୍ତଙ୍କୁ ସୁରକ୍ଷା ସଚେତନତା ଦିଆଯାଇଥିଲା, ଯାହାକୁ ରାଜଗାଙ୍ଗପୁରବାସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଡାଲମିଆ ଡିଏସପି (ଲାଇନ-୩) ମୁଖ୍ୟ ରାଜେଶ ସୋମାନି ସହିତ ଡାଲମିଆ ସିମେଣ୍ଟର କର୍ମଚାରୀ, ଅଣ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ l ସୁରକ୍ଷା ସପ୍ତାହ ପାଳନ ସମୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ବିଜୟୀ ମାନଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯାଇଥିଲା l ୟୁଟିଲିଟି ବିଭାଗର କୁମାର ମିଶ୍ର ଏହି ସଭାକୁ ପରିଚାଳନା କରିଥିବା ବେଳେ ମାନବ ସଂସାଧନ ବିଭାଗର ସୁଧୀର ମହାନ୍ତି ସଭା ଶେଷରେ ଧନ୍ୟବାଦ କରିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।