ପୁରୀ(ସଂଘର୍ଷ ମିଡିଆ ) : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ୟୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳେଇ, ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଯୋଗଦେଇ ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ମୁକାବିଲା କରିବା ସଂପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପାଣିପାଗ ସଂପର୍କିତ ସତର୍କ ସୂଚନା ପ୍ରଦାନ, ଜିଲ୍ଲା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ, ବନ୍ୟାରେ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅଞ୍ଚଳ ଚିହ୍ନଟ ଓ ମୁକାବିଲା ନିମନ୍ତେ ଅତ୍ୟାବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବନ୍ୟାଜଳ ନିଷ୍କାସନ, ମୋଟର ଡଙ୍ଗା, ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ, ଶୁଖିଲା ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ଔଷଧ, ପାନୀୟ ଜଳ, ପଶୁଖାଦ୍ୟ ମହଜୁଦ ସଂପର୍କରେ ମଧ୍ୟ ବିଶେଷ ଭାବେ ଆଲୋଚନା ହୋଇଛି । ଫସଲ କ୍ଷୟକ୍ଷତି ନହେବା ନିମନ୍ତେ ଦୃଷ୍ଟି ଦେବା ସହ ଆବଶ୍ୟକ ସ୍ଥଳେ ଓଡ୍ରାଫ ଓ ଆପଦମିତ୍ର ଭଳି ସ୍ବେଚ୍ଛାସେବୀ ମାନଙ୍କୁ ସଜାଗ ରଖିବା ପାଇଁ ପଦକ୍ଷେପ ନେବା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।