>ପଳାଶୁଣି ,ରସୁଲଗଡ, ଜିଜିପି କଲୋନୀରେ ପାନୀୟ ଜଳର ଉତ୍କଟ ସ୍ଥିତି
>ପାଇପିରେ ଆସୁଛି ଗଙ୍ଗୁଆ କେନାଲର ଦୁର୍ଗନ୍ଧଯୁକ୍ତ ଦୂଷିତ ପାଣି
> ପାଣି ପାଇଁ ହାହାକାର ପଳାଶୁଣି ,ରସୁଲଗଡ, ଜିଜିପି କଲୋନୀର ବାସିନ୍ଦା
> ଭୁବନେଶ୍ଵର (ସଂଘର୍ଷ ମିଡିଆ ) : ରାଜଧାନୀ ଭୁବନେଶ୍ଵରରେ ପାଇପ ଜଳ ଯୋଗାଣରେ ଗୁରୁତର ସ୍ଥିତି ଦୀର୍ଘ ଦିନ ହେବ ଦେଖାଦେଇଛି । ପଳାଶୁଣି ,ରସୁଲଗଡ ସମେତ ଜିଜିପି କଲୋନୀରେ ଯୋଗାଣ ହେଉଥିବା ପାଇପ ପାଣି ଦୂଷିତ ଓ ଦୁର୍ଗନ୍ଧମୟ ହେବାରୁ ସ୍ଥାନୀୟ ଲୋକେ ଡହଳ ବିକଳ ହେଉଛନ୍ତି । ଜଳ ସଙ୍କଟ ହେତୁ ଅଞ୍ଚଳବାସୀଙ୍କ ଅବସ୍ଥା ଦୀର୍ଘ ଦିନ ହେବ ସଙ୍ଗୀନ ହୋଇପଡିଛି । ଗଙ୍ଗୁଆ କେନାଲ ରାଜଧାନୀ ଭୁବନେଶ୍ଵର ମଧ୍ୟଦେଇ ଦୀର୍ଘ ୩୫ କିଲୋମିଟର ଅତିକ୍ରମ କଲାପରେ ଦୟାନଦୀରେ ମିଶିଛି ।ସୂଚନାନୁଯାୟୀ, ରାଜଧାନୀ ଭୁବନେଶ୍ଵରର ସମସ୍ଥ ଡ୍ରେନେଜ ପାଣି ଗଙ୍ଗୁଆ କେନାଲ ମଧ୍ୟଦେଇ ଗତିକରି ଦୟାନଦୀରେ ମିଶିଛି । ପ୍ରାପ୍ତ ସୂଚନାନୁଯାୟୀ , ଖୋର୍ଦ୍ଧା ଡ୍ରେନେଜ ଡିଭିଜନ ବୁଦ୍ଧିସାହି ନିକଟରେ ଗଙ୍ଗୁଆ କେନାଲକୁ ଠିକାଦରଙ୍କ ଚାପରେ ପଡି ବନ୍ଦ କରିବାଦ୍ବାରା ଭୁବନେଶ୍ବରକୁ ଦୟାନଦୀରୁ ଆସୁଥିବା ପାନୀୟ ପାଣି ଦୂଷିତ ହୋଇଯାଇଛି । ପିଇବା ପାଣିରେ ଆସୁଛି ଡ୍ରେନେଜ ମିଶା ପାଣି । ଫଳରେ ପଳାଶୁଣି ,ରସୁଲଗଡ, ଜିଜିପି କଲୋନୀର ବାସିନ୍ଦା ଦୀର୍ଘ ଦିନ ହେବ ହନ୍ତ ଶନ୍ତ ହେଉଛନ୍ତି । ଗୋଟେ ଜନହିତକର ସରକାର ପାନୀୟ ଜଳ , ସ୍ୱାସ୍ଥ୍ୟ ପାଇଁ ବଦ୍ଧପରିକର ଥିବାବେଳେ , ଆମ ରାଜ୍ୟରେ ସ୍ଥିତି ଓଲଟା ପରିଲକ୍ଷିତ ହେବାର ଦେଖିବାକୁ ମିଳୁଛି । ନିକଟରେ ଭୁବନେଶ୍ବର ସ୍ମାର୍ଟ ସିଟିର ମାନ୍ୟତା ଲାଭ କରିଛି । କିନ୍ତୁ ପ୍ରବଳ ଗ୍ରୀଷ୍ମ ଲହରୀରେ ରାଜଧାନୀ ବାସି ଡହଳ ବିକଳ ହେଉଥିବାବେଳେ, ପାନୀୟ ଜଳ ସମସ୍ୟା ସ୍ମାର୍ଟ ସିଟି ପ୍ରୋଜେକ୍ଟକୁ ବିଦ୍ରୁପ କରୁଛି । କାହା ସ୍ଵାର୍ଥରେ ଗଙ୍ଗୁଆ କେନାଲକୁ ବନ୍ଦକରି ହଜାର ହଜାର ଜନସାଧାରଣଙ୍କ ଭାଗ୍ୟ ସହ ଖେଳଯାଉଛି, ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟିକରିଛି । ଜଳଯୋଗାଣ କର୍ତ୍ତୁପକ୍ଷ ତୁରନ୍ତ ଜଳଯୋଗାଣ ପରିସ୍ଥିତି ସୁଧାରିବାକୁ ସାଧାରଣରେ ଦାବୀ ଜୋର ଧରିଛି । ତୁରନ୍ତ ଜଳ ଯୋଗାଣ ପରିସ୍ଥିତି ସୁଧାର ନହେଲେ ମହାମାରୀ ବ୍ୟାପିବା ଆଶଙ୍କା କରାଯାଉଛି । ଭୁବନେଶ୍ଵର ନ୍ୟୁଜ ବୁରୋ ସଂଘର୍ଷ ମିଡିଆ ।
Get real time updates directly on you device, subscribe now.