କୁତ୍ରାରେ ୱାଡି ପ୍ରକଳ୍ପ ପରିଦର୍ଶନ କଲେ ରାଜ୍ୟ ଉନ୍ନୟନ କମିଶନର,ଯୋଜନାର ସଠିକ କାର୍ଯ୍ୟକାରିତା ନେଇ କଲେ ବିରକ୍ତ ପ୍ରକାଶ
କୁତ୍ରା ( ସଂଘର୍ଷ ମିଡିଆ ) : ଆଜି ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଏବଂ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କୁତ୍ରାରେ ଆରମ୍ଭ ହୋଇଥିବା ୱଡି ପ୍ରକଳ୍ପ ପରିଦର୍ଶନ କରିଥିଲେ। କୁତ୍ରାରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରି ଉଦ୍ୟାନ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଆନୁକୂଲ୍ୟରେ ୧୪ ଜଣ ଚାଷୀଙ୍କ ମିଳିତ ଜମିରେ ୨୯.୪୭ ଏକର କାଜୁ ଗଛ ଓ ୯.୪ ଏକର ଆମ୍ବ ଗଛ ଲଗାଯାଇ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏଥିରେ ଆମ୍ବ ,କାଜୁ ,ଅମୃତଭାଣ୍ଡା,ତରଭୁଜ ସମେତ ବିବିଧ ଚାଷ କରାଯାଇଛି । ଏହି ଜମି ଗୁଡିକୁ ପାଣି ଉପଲବ୍ଧ କରିବା ପାଇଁ ୭ ଟି ଭୂତଳ ଜଳ ସମେତ ସୋଲାର ସିଷ୍ଟମ ପାଣି ବ୍ୟବସ୍ଥା ସାଙ୍ଗକୁ ଜମି ଗୁଡିକୁ ତାରବାଡ ପାଇଁ ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହାର କାର୍ଯ୍ୟକାରିତା ଦେଖିବା ପାଇଁ ଆଜି ରାଜ୍ଯ ଉନ୍ନୟନ କମିସନର ତଥା ଯୋଜନା ଏବଂ ସମନ୍ଵୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କୁତ୍ରା ଆସି ଏହି ପ୍ରକଳ୍ପର ବିନିଯୋଗ ରାଶି ପଚାରି ବୁଝିବାବେଳେ ପ୍ରକଳ୍ପ ଅଧିକାରୀ କିମ୍ବା ଏନଜିଓ ସଂସ୍ଥା କି କୌଣସି ଅଧିକାରୀ ଏହି ପ୍ରକଳ୍ପ ଏବଂ ଏହାର ଆଗାମୀ ଦିନର ଯୋଜନାକୁ ନେଇ ସଠିକ ଭାବରେ ସୂଚନା ଦେଇ ପାରିନଥିବାରୁ ବିରକ୍ତ ପ୍ରକାଶ କରିଥିଲେ । ସେହିପରି ହିତାଧିକାରୀ ଚାଷୀଙ୍କୁ ପ୍ରକଳ୍ପ ବାବଦରେ ପଚାରିବାରୁ ସେମାନେ ସଠିକ ଉତ୍ତର ଦେଇନପାରିବାରୁ ସେ ଆହୁରି ବିରକ୍ତ ହୋଇଥିଲେ । କାହିଁକି ଏଠି ଆମ୍ବ ଓ କାଜୁ ଗଛ ଲଗା ହୋଇଛି ବୋଲି ପ୍ରଶ୍ନ କରିଥିଲେ ।ନିଜର ଅନେକ ପ୍ରଶ୍ନର ଠିକ ଉତ୍ତର ନପାଇ ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ଏନଜିଓ ସଂସ୍ଥାକୁ ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ହିତାଧିକାରୀ ମାନେ ଯେପରି କ୍ଷତିଗ୍ରସ୍ତ ନହୁଅନ୍ତି ସେଥିପାଇଁ ତାଗିଦ କରିବା ସହ ଯୋଜନାକୁ ସଠିକ ଭାବେ ରୂପାୟନ କରି ଏହାର ହିତାଧିକାରୀଙ୍କୁ ଲାଭାନ୍ୱତ କରାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ତମେ ଅଫିସ ଯାଇ ସମସ୍ତ କାଗଜପତ୍ର ଦେଖି ମୁଁ ସୁନ୍ଦରଗଡ ଫେରିଲା ପରେ ମୋତେ ପ୍ରକଳ୍ପର ସମସ୍ତ ସୂଚନା ଦେବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଆଜିକାର ଏହି ଗସ୍ତରେ ତାଙ୍କ ସହ ଓମ୍ବାଡସି ର ସିଇଓ ଉମା ନନ୍ଦାରି,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଡିଏମ୍ଏଫ୍ ର ବରିଷ୍ଠ ଅଧିକାରୀ ଓ ହିତାଧିକାରୀ ଚାଷୀ ଉପସ୍ଥିତ ଥିଲେ ।