ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ

34

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଚି।ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଅସମ୍ଭାଳ ଭିଡ। ତେବେ ଭିଡକୁ ଭକ୍ତ ମାନେ ଖାତିର ନକରି ମହାପ୍ରଭୁ ଙ୍କ ଦିବ୍ୟ ଝଲକ ଟିକେ ଦେଖିବାକୁ ଉତ୍ସାହିତ ଅଛନ୍ତି। ତେବେ ପଞ୍ଚୁକ କୁ ଭୀଷ୍ମ ପଞ୍ଚୁକ ବା ବଗ ପଞ୍ଚୁକ ମଧ୍ୟ କୁହାଯାଏ। ଦୀର୍ଘ ୩୦ ଦିନ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସରିବା ପରେ ପଞ୍ଚୁକ ପାଞ୍ଚଦିନ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ପଞ୍ଚୁକର ଆଜି ପ୍ରଥମ ଦିନରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଥାଆନ୍ତି। ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଥାଇ ଶ୍ରୀଜୀଉ ମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜିଉଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାଆନ୍ତି। ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଭଳି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାଆନ୍ତି। ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖାଯାଇ ବରିଷ୍ଠ ପୁଲିସ ଅଧିକାରିଙ୍କ ସହ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ବଡଦାଣ୍ଡର ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ଅନ୍ୟ 3 ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି। ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ମରଚିକୋଟ ଛକ ଠାରେ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଡ଼ାକବାଜି ଯନ୍ତ୍ର ଦ୍ବାରା ଶ୍ରୀମନ୍ଦିର ନୀତି କାନ୍ତି ବିଷୟରେ ସୂଚନା ଦିଆଯାଉଛି। କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ ହୋଇଛନ୍ତି। ଏହାକୁ ହରି ଉତ୍ଥାପନ ଏକାଦଶୀ କୁହାଯାଇଥାଏ। ତେବେ ପଞ୍ଚୁକରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ ସୁଯୋଗ ରହିଛି। କାର୍ତ୍ତିକ ମାସ ପଞ୍ଚୁକ ଆଜି ଠାରୁ ଆରମ୍ଭ ହେଉଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଶୃଙ୍ଖଳା କରାଯାଇଛି l ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ମିଳିବ l ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା ରହିବ l ମହାପ୍ରଭୁଙ୍କ ନୀତିକାନ୍ତି ତଥା ଭକ୍ତଙ୍କ ଦର୍ଶନ ଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଥିବା ଏହି ପଦକ୍ଷେପ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ l ଆସନ୍ତା କାଲି ଗରୁଡ ଦ୍ଵାଦଶୀ ସହ ମହାପ୍ରଭୁଙ୍କ ବାମନ ବା ବାଙ୍କଚୁଡ ବେଶ୍ ଅନୁଷ୍ଠିତ ହେବାକୁ ଥିବାରୁ ଏହି ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ବେଶ୍ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More