କଳାହାଣ୍ଡି ( ସଂଘର୍ଷ ମିଡିଆ ) : – ଯେଉଁଠି ମଣିଷ ଗଢ଼ା ହୁଏ ତଥା ମଣିଷ କାରଖାନା ହେଉଛି ଶିକ୍ଷା ଅନୁଷ୍ଠାନ । ଏଠି ମଣିଷ ବୌଦ୍ଧିକ, ମାନସିକ ସ୍ତରରେ ଶିକ୍ଷା ଲାଭ କରି ଭବିଷ୍ୟତରେ ଏକ ଉଜ୍ଜ୍ୱଳ ସ୍ୱପ୍ନ ଦେଖିଥାଏ । କିନ୍ତୁ ଏପରି ପବିତ୍ର ଅନୁଷ୍ଠାନ ପରିସରରେ ଶିକ୍ଷା ଦେଉଥିବା ଶିକ୍ଷକ ଯେବେ ଅମଣିଷପଣିଆ ଦେଖାଏ , ତେବେ ତାହା ଛାତ୍ରଛାତ୍ରୀ ମାନଙ୍କ ଉପରେ କି ପ୍ରଭାବ ପଡ଼ିବ ତାହା ସହଜେ ଅନୁମେୟ । ସମୟ ଓ ଜ୍ଞାନ ଦେବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜୋତା ମାଡ଼ ଉଦ୍ୟମ ଘଟଣାକୁ ଏବେ ଅଞ୍ଚଳରେ ତୀବ୍ର ନିନ୍ଦା ସହ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା – କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ସରକାରୀ ଉନ୍ନୀତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ସେହି ସ୍କୁଲର ସହକାରୀ ଶିକ୍ଷକ ଦୁର୍ବ୍ୟବହାର କରିଥିବା କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଧଙ୍ଗଡ଼ା ମାଝୀ ଙ୍କୁ ସ୍କୁଲର ସହକାରୀ ଶିକ୍ଷକ ଭଗବାନ ଦଳପତି ଅଶାଳୀନ ବ୍ୟବହାର କରିବା ସହ ଜୋତା ଉଠାଇ ମାରିବାକୁ ଉଦ୍ୟମ କରିଥିଲେ, ଦୁହିଁଙ୍କୁ ବୁଝାଇବାକୁ ଯାଇ ଅନ୍ୟ ଶିକ୍ଷକ ମାନେ ମଧ୍ୟ ଜୋତା ମାଡ଼ ସହ ଠେଲାପେଲାର ଶିକାର ହୋଇଥିଲେ । ସମ୍ପୃକ୍ତ ସହକାରୀ ଶିକ୍ଷକ ଶ୍ରୀ ଦଳପତିଙ୍କ ନାମରେ ଆଗରୁ ମଧ୍ୟ ବହୁ ବିଶୃଙ୍ଖଳା ଆଚରଣର ଅଭିଯୋଗ ରହିଛି । କିନ୍ତୁ ତାଙ୍କୁ କାହିଁକି ଅନୁକମ୍ପା ଦେଖାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏପଟେ ଶିକ୍ଷକ ଭଗବାନ ଦଳପତି ପ୍ରତିକ୍ରିୟା ରଖିଛନ୍ତି ,ଏହା ମୋତେ ଫସାଇବା ପାଇଁ ଏଭଳି ମିଥ୍ୟା ଅଭିଯୋଗ କରାଯାଇଛି,ଏହା ଭିତ୍ତିହୀନ ବୋଲି ମତପ୍ରକାଶ କରିଛନ୍ତି । ଏହି ଅଭିଯୋଗ କୁ ଭିତ୍ତିକରି କୋଟା ଗାଁ ସ୍କୁଲକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ – ତପିମଣି ଯାନୀ ଏବଂ ସହ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପଣ୍ଡା ଯାଇ ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅଭିଯୁକ୍ତ ଶିକ୍ଷକଙ୍କୁ କୈଫିୟତ ମଗାଯାଇଛି ଓ ତାପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୋନ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ଏପଟେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ କହିଛନ୍ତି ମୋ ପାଖରେ ଖବର ନାହିଁ , ମୁଁ କୋଟଗାଁ ସ୍କୁଲ ବାବଦରେ ଅବଗତ ହୋଇ ନାହିଁ , ଆପଣ କଲମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ହଡ଼ ବଡାଇ ଯାଇ ଫୋନ କାଟି ଦେଇଥିଲେ । ତେବେ ବର୍ତ୍ତମାନ ତଦନ୍ତ ପରେ କୈଫିୟତ ଏବଂ ତାପରେ ଶିକ୍ଷା ଅଧିକାରୀ କିଭଳି ପଦକ୍ଷେପ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା । କଳାହାଣ୍ଡି ଜିଲ୍ଲା – ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।