ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ

106

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ନିର୍ବାଚନୀ ହିଂସା। ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ। ବସଷ୍ଟାଣ୍ଡ ନିକଟରେ ଏହି ଘଟଣା ଆଜି ଘଟିଛି। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ନିଜ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାରରେ ଥିବାବେଳେ ଏହି ଘଟଣା ଘଟିଛି। ହଠାତ କିଛି ଯୁବକ ସଂଘବଦ୍ଧ ଭାବେ ଇଟା ଏବଂ କାଚ ବୋତଲରେ ଉମାବଲ୍ଲଭ ରଥଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ତେବେ ଆକ୍ରମଣରେ ଉମା ଆହତ ହୋଇଥିବା ତାଙ୍କ ସମର୍ଥକମାନେ ତାଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତାଙ୍କ ମୁଣ୍ଡର ବାମ ପାଶ୍ୱର୍ରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ରକ୍ତ ବାହାରିଥିବା ନଜରକୁ ଆସିଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ପୁରୀ ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ଦଳ ସୁଜିତ ମହାପାତ୍ର ଙ୍କୁ ଟିକେଟ ଦେଇଥିଲା। ଗତକାଲି ସେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ। ତେବେ ଆଜି ତାଙ୍କ ଟିକେଟ କୁ ଦଳ ବାତିଲ୍ କରି ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କୁ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଘଟଣାକୁ ନେଇ ସୁଜିତ ଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ପ୍ରତିବାଦରେ ସୁଜିତ ଙ୍କ ସମର୍ଥକ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେବେ ଏହି ଘଟଣା ଘଟିବାର କିଛି ଘଣ୍ଟା ମଧ୍ୟରେ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରାଯାଇଥିବାରୁ ଏହା ନିର୍ବାଚନ ହିଂସା ବୋଲି ଅନୁମାନ କରାଯାଉଛି। ଏହି ଘଟଣା ନେଇ ଉମାବଲ୍ଲଭ ରଥ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା। ଏହା ପଛରେ କାହାର ହାତ ରହିଛି ସେନେଇ ପୋଲିସ ଅନୁସନ୍ଧାନ କରି ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି। ସୁଜିତ ଙ୍କ ସମର୍ଥକଙ୍କ ଏହି ଘଟଣାରେ ହାତ ରହିଛି କି ନାହିଁ ସେନେଇ ଉମା ପ୍ରତିକ୍ରିୟା ଦେଇନାହାନ୍ତି। ସେପଟେ ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଏସପି। ଏନେଇ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଅତିରିକ୍ତ ଏସପି ଶୁଶିଲ ମିଶ୍ର କହିଛନ୍ତି। କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଉମାବଲ୍ଲଭ ରଥଙ୍କୁ ଆକ୍ରମଣ କରିଥିବା ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତା’ର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। ଉମାଙ୍କ ଜୀବନକୁ ବିପଦ ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More