ପିଲା ଚୋରିକୁ ନେଇ ସନ୍ଦେହ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କୁ ସନ୍ଦେହରେ ଆକ୍ରମଣ

115

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହର ଏବଂ ସାରା ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କର ବାତାବରଣ। କିଛି ବ୍ୟକ୍ତି ପିଲାମାନଙ୍କୁ ରାସ୍ତାରୁ ଚୋରି କରି ନେଉଥିବା ପ୍ରଚାର ହେବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ମାନଙ୍କ ଭିତରେ ଏବେ କୋକୁଆ ଭୟ ଖେଳିଯାଇଛି । ପିଲା ଚୋରିକୁ ନେଇ ସନ୍ଦେହ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କୁ ସନ୍ଦେହ କରି ଆକ୍ରମଣ ହେଉଥିବା ଘଟଣା ମଧ୍ୟ ନଜରକୁ ଆସିଲାଣି। ପିଲା ଚୋରି ସନ୍ଦେହକୁ ନେଇ ଅଜଣା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଘଟଣା ଏକାଧିକ ସ୍ଥାନରେ ହୋଇଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ଲୋକଙ୍କ ଭିତରେ ଭୟ ଦୂର କରିବା ପାଇଁ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି ଏସପି ପିନାକ ମିଶ୍ର। ପିଲା ଚୋରିକୁ ସନ୍ଦେହ କରି ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ପିଲା ଚୋରିରେ ସଂପୃକ୍ତ ନଥିବା ଏସପି ସ୍ପଷ୍ଟୀକରଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ମାନସିକ ବିକାର ଗ୍ରସ୍ତ। ଏଣୁ ଦିନରେ ହେଉ ଅବା ରାତିରେ ସେମାନେ ବୁଲୁଥିବା ବେଳେ ପିଲା ଚୋରି କୁ ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସପି। ପୁରୀରେ ପିଲା ଚୋରି ଘଟଣାକୁ ନେଇ ଯେଉଁଭଳି ଗୁଜବ ସୃଷ୍ଟି କରାଯାଉଛି ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏସପି। ଗୁଜବ ଉପରେ ବିଶ୍ବାସ ନକରି କୌଣସି ବେଆଇନ୍ କାର୍ଯ୍ୟ ନକରିବାକୁ ଏସପି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୁଏ ତେବେ ତାଙ୍କୁ ଆକ୍ରମଣ ନକରି ତୁରନ୍ତ ପୋଲିସକୁ ଖବର ଦେବାକୁ ନିବେଦନ କରିଛନ୍ତି ଏସପି। ପୁରୀ ଏକ ତୀର୍ଥକ୍ଷେତ୍ର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଏଠାକୁ ଅନେକ ଲୋକ ଆସୁଥିବା ବେଳେ ଅନେକ ମାନସିକ ବିକାର ଗ୍ରସ୍ତ ଲୋକ ମଧ୍ୟ ଏଠାକୁ ଚାଲି ଆସୁଛନ୍ତି। ମାନସିକ ବିକାର ଗ୍ରସ୍ତ ଲୋକଙ୍କ କଥାବାର୍ତ୍ତା ଓ ଚାଲି ଚଳଣ ସଠିକ୍ ନଥାଏ ବୋଲି ଅନେକ ଲୋକ ତାଙ୍କୁ ସନ୍ଦେହ କରିଥାନ୍ତି। ତେବେ କୈାଣସି ଗୁଜବ ଏବଂ ସନ୍ଦେହକୁ ଆଧାର କରି କାହା ଉପରେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଅମାନବୀୟ ଓ ବେଆଇନ୍ ବୋଲି ପୁରୀ ଏସପି କହିଛନ୍ତି। ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି କହିଛନ୍ତି । ପୁରୀ ବାସିନ୍ଦା ଗୁଜବ ଉପରେ ବିଶ୍ବାସ ନକରି କୌଣସି ବ୍ୟକ୍ତି ସନ୍ଦିଗ୍ଧ ଲାଗିଲେ ନିଜ ଅଞ୍ଚଳରେ ଥିବା ଥାନାକୁ ଖବର ଦେବା ପାଇଁ ଏସପି ନିବେଦନ କରିଛନ୍ତି। ଗତ ଦୁଇଦିନ ତଳେ ପୁରୀ ସଦର ଅଞ୍ଚଳର ଶାଶନ ଦାମୋଦରପୁର, କୋଇଲାଅଡା ଏବଂ ନରେନ୍ଦ୍ର କୋଣ ଅଞ୍ଚଳରେ ପିଲା ଚୋରି ସନ୍ଦେହକୁ ନେଇ ସ୍ଥାନୀୟ ବାସିନ୍ଦା କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଉକ୍ତ ଯୁବକ ମାନେ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ପିଲା ଚୋରି ସନ୍ଦେହ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More