ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ଅଞ୍ଚଳରେ ଏକ ଲୋମହର୍ଷଣକାରୀ ତଥା ହୃଦୟ ବିଦାରକ ଘଟଣା ଘଟିଯାଇଛି, ଯାହାକି ସ୍ଥାନୀୟ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳାଇଦେଇଛି। ଜଣେ ପ୍ରେମିକ ସପତ୍ନି ଙ୍କ ସହ ମିଶି ଅତି ନିଷ୍ଟୁର ଭାବରେ ନିଜ ପ୍ରେମିକାଙ୍କୁ କୁକୁଡ଼ା କଟା କଟୁରୀ ରେ ଅତି ନିର୍ଦୟ ହୋଇ ୩୧ ଖଣ୍ଡ କରି ହାଣି ମୃତ ଦେହକୁ ଜଙ୍ଗଲ ମଧ୍ୟରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କଲାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ନଜରକୁ ଆସି ପୋଲିସ୍ ହାତରେ ଧରା ପଡିଛି ଆଗାମୀ l ପ୍ରାପ୍ତ ସୁଚନାନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଘବେଡ଼ା ଗ୍ରାମର ଲୁଦୁ ଗଣ୍ଡଙ୍କ ୨୩ ବର୍ଷୀୟ ବଡ଼ ଝିଅ ତିଲାବତୀ ଗଣ୍ଡ ଗତ ବୁଧବାର (୨୨.୧୧.୨୩) ଦିନ ପାଖାପାଖି ୧୦ ଟା ସମୟରେ ଘରୁ ବାହାରି ନିଜ ମାଆ କୁ କହି ଗୋନା ପଞ୍ଚାୟତ ଅନ୍ତର୍ଗତ ନଦୀପାରା ଗ୍ରାମରେ ଥିବା ଭିଣେଇ ଟିକମ୍ ଗଣ୍ଡଙ୍କ ଘରକୁ ଯାଉଛି ବୋଲି ଘରୁ ବାହାରିଥିଲା। ପରବର୍ତ୍ତୀ ସମୟରେ ଝିଅ ତିଲା ଭିଣେଇ ଘରେ ଯାଇନଥିବା ଖବର ପାଇ ଘରଲୋକେ ଖୋଜା ଖୋଜି କରୁଥିଲେ। ହେଲେ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଗୋନା ପଞ୍ଚାୟତ ଅନ୍ତର୍ଗତ ମୁରୁମଡିହି ଜଙ୍ଗଲ ମଧ୍ୟରୁ ଜନୈକ ମୃତଦେହ ପୋତା ହୋଇଥିବା ଗ୍ରାମର କିଛି ଲୋକ ଦେଖି ରାଇଘର ଥାନାକୁ ଖବର ଦେଇଥିଲେ। ଏହି ଘଟଣାକୁ ଗୁରୁତ୍ବଦେଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ପୋଲିସ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପାରିପାର୍ଶିକ ପରିସ୍ଥିତିକୁ ଅନୁଧ୍ୟାନ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପୋତା ଯାଇଥିବା ମୃତଦେହ ଉଦ୍ଧାର କରିଥିଲେ। ମୃତଦେହଟି ସମ୍ପୂର୍ଣ ନଥିବା ବେଳେ ଛୋଟବଡ଼ ଆକାରରେ ୩୧ ଖଣ୍ଡ ହାଣିଥିବା ଶରୀର ଅଂଶ ବିଶେଷ ଉଦ୍ଧାର କରାଯାଇଥିଲା। ପରେ ପରେ ରାଇଘର ପୋଲିସ୍ ଘଟଣାରେ ସଂପୃକ୍ତ ଚନ୍ଦ୍ର ରାଉତ ଦମ୍ପତିଙ୍କୁ ସନ୍ଦେହ ରେ ଅଟକ ରଖି ପଚରାଉଚରା କରିବା ପରେ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଘଟାଇ ଥିବା ହତ୍ୟାକାରୀ ପୋଲିସ୍ ଆଗରେ ସ୍ବୀକାର କରିଥିଲେ। ପୋଲିସ୍ ହତ୍ୟାକାରି ଚନ୍ଦ୍ର ରାଉତଙ୍କ ଘର ଠାରୁ ଅନତି ଦୂରେ ହତ୍ୟାରେ ବ୍ୟବହୃତ କଟୁରୀ, କାଠ, ତତ୍ ସହିତ ଯୁବତୀଙ୍କ ପିନ୍ଧାବସ୍ତ୍ର ର ପୋଡ଼ା ଅଂଶ ସଂଗ୍ରହ କରି କେସ୍ ନମ୍ୱର ୨୦୬/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ ଭିନ ଜାରି ରଖିଛି।