ପୁରୀ (ସଂଘର୍ଷ ମିଡିଆ) : – ପୁରୀ ଷ୍ଟ୍ରଲିଂ ଛକ ନିକଟରେ ଆରମ୍ଭ ହୋଇ ଥିବା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଦର୍ଶକ ମାନେ ଓ ପିଲା ମାନେ ବିଭିନ୍ନ ରାଜ୍ୟର ସାଇକେଲ ଚାଳକ ପ୍ରତିଯୋଗୀଙ୍କ ଦ୍ରୁତ ସାଇକେଲ ଚାଳନା ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରୁଛନ୍ତି।ବିଭିନ୍ନ ବୟସ ବର୍ଗ ଓ ଇଭେଣ୍ଟରେ ପ୍ରତିଯୋଗିତା ହେଉଥିବାରୁ ପ୍ରତିଯୋଗିତା ମଧ୍ୟ ତୀବ୍ର ହେଉଛି ଯାହା ଦର୍ଶକଙ୍କୁ ବେଶ ଆନନ୍ଦ ଦେଉଛି । ପୁରୁଷ ଇଲାଇଟ ବର୍ଗରେ ପଞ୍ଜାବର ହର୍ଷବୀର ସିଂ ସେଖନ ସ୍ୱର୍ଣ୍ଣ, ଆରଏସପିବି ର ଭିସାବଜିତ ସିଂ ରୌପ୍ୟ ଓ ଏସଏସସିବିର ଦୀନେଶ କୁମାର ବୌଞ୍ଜ ପଦକ ହାସଲ କରିଥିଲେ।ଇଲାଇଟ ମହିଳା ବର୍ଗରେ ପଞ୍ଜାବର ଜଶମିର କୌର ସେଖନ ସ୍ୱର୍ଣ୍ଣ, ଆରଏସପିବିର ମେଘା ଗୁଗଡ ରୌପ୍ୟ ଓ ଏଆଇପିଏସସିବିର ମୋନିକା ଜାଟ ବୌଞ୍ଜ ପଦକ ହାସଲ କରିଥିଲେ।ପୁରୁଷ ୨୩ ବର୍ଷରୁ କମ ବ୍ୟକ୍ତିଗତ ବର୍ଗରେ ଦିଲ୍ଲୀର ଅକ୍ଷର ତ୍ୟାଗୀ ସ୍ବର୍ଣ୍ଣ, ରାଜସ୍ଥାନର ଗୌରାଙ୍ଗ ସିଂ ଗୌର ରୌପ୍ୟ ଓ ଚଣ୍ଡିଗଡର ଜୟ ଡୋଗ୍ରା ବ୍ରୋଞ୍ଜ,ମହିଳା ବର୍ଗରେ ରାଜସ୍ଥାନର ହର୍ଷୀତ ଜାଖର ସ୍ୱର୍ଣ୍ଣ, ମହାରାଷ୍ଟ୍ରର ଜୁଇ ନରକର ରୌପ୍ୟ ଓ ରାଜସ୍ଥାନର ମଞ୍ଜୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।ସବଜୁନିୟର ବାଳକ ବ୍ୟକ୍ତିଗତ ବର୍ଗରେ ରାଜସ୍ଥାନର ରାମବତାର ଚିପ୍ପା ସ୍ୱର୍ଣ୍ଣ, ରାଜସ୍ଥାନ ର ମହାବୀର ଶରଣ ରୌପ୍ୟ, ମଣିପୁରର ଜେସିସ ଥୋକଚାମ ବ୍ରୋଞ୍ଜ, ବାଳିକା ବର୍ଗରେ ରାଜସ୍ଥାନ ର ଅଞ୍ଜଳି ଜାଖର ସ୍ୱର୍ଣ୍ଣ,ରାଜସ୍ଥାନର ରୁଖମଣୀ ରୌପ୍ୟ ଓ ତାମିଲନାଡୁର ଥବିଥା ବ୍ରୋଞ୍ଜ ପଦକ ହାସଲ କରିଥିଲେ।ପ୍ରତିଯୋଗିତାକୁ ସଫଳ କରାଇବାକୁ ଜାତୀୟ ସାଇକ୍ଲିଂ ଆସୋସିଏସନର ସମ୍ପାଦକ ମନିନନ୍ଦର ସିଂ ପାଲ,ଓଡିଶା ସାଇକ୍ଲିଂ ଆସୋସିଏସନ ର ସଭାପତି ମିନତୀ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ରାଉତ ଓ ସମସ୍ତ ସଦସ୍ୟ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି।ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ଶ୍ରେଷ୍ଠ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।