ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶାଳିନ ମନ୍ତବ୍ୟ ବିରୁଦ୍ଧରେ ବିଜେପିର ରାଇରଙ୍ଗପୁର ଟାଉନ ଥାନାରେ ଏତଲା
ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ନାଗରିକ ଏବଂ ସର୍ବୋଚ୍ଚ ସ୍ଥାନରେ ସ୍ଥାନିତI ଜଣେ ଆଦିବାସୀ ଝିଅ ଜୀବନବ୍ୟାପୀ ସଂଘର୍ଷ ଓ ସାଧନା ଫଳରେ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାତ୍ରା କରିଛନ୍ତି I ସେହି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ଜଣେ ବରିଷ୍ଠ ଵୟୋଵୃଦ୍ଧ ମନ୍ତ୍ରୀ ଅଖିଳ ଗିରି ନଦିଗ୍ରାମର ଏକ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ବର୍ଣ ,ରୂପ ନେଇ ଅଶାଳିନ,ଅଭଦ୍ରୋଚିତ,ଅପମାନଜନକ,ଅରୁଚିକର ଭାଷଣ ଓ ମନ୍ତବ୍ୟ ଦେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ।ରାଷ୍ଟପତିଙ୍କୁ ଅସମ୍ମାନ ନେଇ ସାରା ଦେଶରେ ଦଳ,ମତ ନିର୍ବିଶେଷରେ ଅସନ୍ତୋଷର ଵହ୍ନି ଜଳୁଛି । ଓଡ଼ିଶା ସମେତ ମୟୂରଭଞ୍ଜର କୋଣେ ଅନୁକୋଣେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲିଙ୍ଗ,ବର୍ଣ, ଶାରିରୀକ ଗଠନ ଭଗବାନଙ୍କର ସୃଷ୍ଟି ।ଏହା କାହାରି ହାତରେ ନାହିଁ । ଜଣେ ପଶ୍ଚିମବଙ୍ଗ ସରକାରଙ୍କ ଦାୟିତ୍ବସଂପନ୍ନ ମନ୍ତ୍ରୀ ହୋଇ ଜଣେ ଉଚ୍ଚଶିକ୍ଷିତା, ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ଆଦିବାସୀ ବର୍ଗର ମହିଳାଙ୍କୁ ଏଭଳି ଅରୁଚିକର ମନ୍ତବ୍ୟ ଦେବା କେତେଦୂର ଯଥାର୍ଥ ! ଜାଣିଶୁଣି ଏଭଳି
ତାଛଲ୍ୟ ,ଲାଞ୍ଚିତ ଓ ଅପମାନିତ କରିବାର ହୀନ ପ୍ରୟାସ କରିଥିବା ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅଖିଳ ଗିରିଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି Iନେତୃବୃନ୍ଦ କହିଥିଲେ ତୁରନ୍ତ ପଶ୍ଚିମ ବଙ୍ଗ ସରକାର ସମ୍ବିଧାନର ମର୍ଯ୍ୟାଦା ଉଲ୍ଲଙ୍ଘନ କରିଥିବା ମନ୍ତ୍ରୀ ଅଖିଳ ଗିରିଙ୍କୁ ବରଖାସ୍ତ କରିବା,ଅଖିଳ ଗିରି କ୍ଷମା ପ୍ରାର୍ଥନା ମାଗିବା ଏବଂ ତାଙ୍କ ବିରୁଦ୍ଧରେ ଆଇନ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି କହିଥିଲେ । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଦାବୀ ପତ୍ର ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନିକଟରେ ଅଭିଯୋଗ କରିଛନ୍ତି Iଏଥିରେ ରାଜ୍ୟ ବିଜେପି ସଂପାଦକ ନବୀନ କୁମାର ରାମ, ଵର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ମନୋଜ ଦାସ ବିକାଶ କୁମାର ମହାନ୍ତ, ସଞ୍ଜୀବ କୁମାର ମହାନ୍ତି, ମିନତୀ ବସା,ଶସାଙ୍କ କୁମାର, ସୁନୀଲ କୁମାର ମହାନ୍ତ, ଚନ୍ଦନ କୁମାର ମହାନ୍ତ, ପୂର୍ଣ୍ଣାନନ୍ଦ ବେହେରା, ସୂର୍ଯ୍ୟମଣୀ ହାଁସଦା ପ୍ରମୁଖ ଉପସ୍ଥିତ ରହି ତୁରନ୍ତ ତାଙ୍କୁ ମମତା ସରକାର ମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ,ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା,ଆଇନ ଅନୁସାରେ ଦଣ୍ଡିତ କରାଯାଉ ବୋଲି ଦାବୀ କରିଥିଲେ I ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।