ତେହେରାନ ( ଏଜେନ୍ସି ) : କରୋନାରୁ ବଞ୍ଚିବାକୁ ବାଟ ଖୋଜୁଛନ୍ତି ଲୋକେ । ଆମ ଦେଶରେ କେହିକେହି କାଢ଼ା ପିଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଯୋଜନା କରୁଛନ୍ତି ତ କେହି କେହି କରୋନାରୁ ଦୂରେଇ ରହିବାକୁ ଖୋଜୁଛନ୍ତି ମଦ । କରୋନାରୁ ବର୍ତିବାକୁ ଲୋକ ଯାବତୀୟ ପରୀକ୍ଷାନିରୀକ୍ଷା କରୁଛନ୍ତି । କରୋନାରୁ ବର୍ତିବା ପାଇଁ ଔଷଧ ସଂକ୍ରାନ୍ତରେ କୌଣସି ଗୁଜବକୁ ଲୋକମାନେ ତୁରନ୍ତ ବିଶ୍ବାସ କରି ନେଉଛନ୍ତି । କରୋନା ଭୟ ଲୋକମାନଙ୍କୁ ଏତେ ଗ୍ରାସ କରିଛି ଯେ କୌଣସି ପ୍ରକାର ଔଷଧ ପାଇଁ କୌଣସି ମୂଲ୍ୟ ଦେବା ପାଇଁ ଲୋକମାନେ ପ୍ରସ୍ତୁତ । ଯଦିଓ ଏଥିପାଇଁ କୌଣସି ଔଷଧ, ଟୀକା, ବଟିକା ଆବିଷ୍କାର ହୋଇନାହିଁ ଏବଂ କେବଳ ସାମାଜିକ ଦୂରତ୍ବ ହିଁ ଏହାର ଏକମାତ୍ର ପ୍ରତିଷେଧକ ବୋଲି କୁହାଯାଉଛି । ମାତ୍ର ମଧ୍ୟପ୍ରାଚ୍ୟରେ କରୋନାରୁ ବଞ୍ଚିବା ପାଇଁ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି । ଏହିପରି ଏକ ଗୁଜବ ଯୋଗୁଁ ଇରାନରେ ୭୦୦ ଲୋକଙ୍କର ମୃତ୍ୟୁ ଘଟିଛି । ମେଥେନଲ୍ ପିଇଲେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତି ମିଳିବ ବୋଲି କେହି ଜଣେ ଗୁଜବ ପ୍ରଚାରିତ କରିଥିଲା । ଏହାପରେ ଲୋକମାନେ ବିନା କିଛି ଡ଼ାକ୍ତରୀ ପରାମର୍ଶରେ ବିଷାକ୍ତ ମେଥେନଲ ପିଇବାରେ ଲାଗିଲେ । ଯାହା ଫଳରେ ୭୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଇରାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶଦାତା ହୁସେନ ହସେନିୟନଙ୍କ ସୂଚନା ଅନୁସାରେ ବାସ୍ତବରେ ଏହି ଘଟଣାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହାର ଅନୁସନ୍ଧାନ ଚାଲିଛି । ବିଷାକ୍ତ ମଦ ପିଇ ୨୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ମେଥେନଲ ମୃତକଙ୍କ ସଂଖ୍ୟା ନେଇ କିଛିଟା ପାର୍ଥକ୍ୟ ରହିଛି ବୋଲି ହୁସେନ କହିଛନ୍ତି । ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ଡ଼ାକ୍ତରଖାନା ଅଣାଯାଇ ନାହିଁ । ଏକ ସରକାରୀ ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲମାସଠାରୁ ଚଳିତ ବର୍ଷ ଏପ୍ରିଲମାସରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ଘଟଣା ପ୍ରାୟ ୧୦ ଗୁଣ ବଢ଼ିଛି । କରୋନା ଭୟ ଯୋଗୁଁ ଲୋକମାନେ ମଦ୍ୟପାନ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି ।