ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ ଏବେ ପ୍ରଥମ ପର୍ଯ୍ୟାୟ କୋଭିଡ୍-୧୯କୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ମେ’ ମାସ ସୁଦ୍ଧା ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ବହୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବେ। ତେବେ ମୌସୁମୀ ବାୟୁ ଜୁନ୍ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ। ମୌସୁମୀ ପ୍ରଭାବରେ ସାରା ଦେଶରେ ତୁହାକୁ ତୁହା ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଫଳରେ ଅନେକ ଲୋକଙ୍କୁ ଥଣ୍ଡା, ଜ୍ବର, କାଶ, ଛିଙ୍କ ଆଦି ହେବାର ସମ୍ଭାବନା ଦେଖାଦେଇପାରେ, ଯାହା କୋଭିଡ୍-୧୯ର ସଂକ୍ରମଣ ଲକ୍ଷଣ ବୋଲି କୁହାଯାଉଛି। ଫଳରେ ମୌସୁମୀ ଦ୍ବିତୀୟ ପର୍ଯ୍ୟାୟ କରୋନା ଭୂତାଣୁ ଆଣିବାର ବାହକ ସାଜିପାରେ ଏବଂ ଏହା ଭାରତ ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ। ଭାରତରେ ଦ୍ବିତୀୟ କରୋନା ମହାମାରୀ ଜୁଲାଇ ଓ ଅଗଷ୍ଟ ମାସରେ ଦେଖାଦେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ମୌସୁମୀ ସମୟରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ଭାରତ କିଭଳି ଶାରୀରିକ ଦୂରତା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସକ୍ଷମ ହେବ ତାହା ଜାଣିବାକୁ ବାକି ରହିଲା ବୋଲି ସେମାନେ କହିଛନ୍ତି।