ନୂଆଦିଲ୍ଲୀ ( ଏଜେନ୍ସି ) : ବିଶ୍ବର ସର୍ବାଧିକ ୧୦ଟି କରୋନା ସଂକ୍ରମିତ ରାଷ୍ଟ୍ର ତାଲିକାରେ ଭାରତ ସ୍ଥାନିତ ହୋଇଛି। ବିଶ୍ବର ପ୍ରଥମ ୧୦ ସଂକ୍ରମିତ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ୧୦ମ ସ୍ଥାନରେ ରହିଛି। ଭାରତ ଉପରକୁ ଆମେରିକା, ବ୍ରାଜିଲ, ରୁଷ୍, ସ୍ପେନ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ତୁର୍କୀ ରହିଛନ୍ତି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ ବିଶ୍ବ ତାଲିକାର ୧୪ଶ ସ୍ଥାନରେ ରହିଛି। ତେବେ ଭାରତରେ ସଂକ୍ରମଣ ସଂଖ୍ୟା ଯେପରି ବେଗରେ ବୃଦ୍ଧି ପାଇଚାଲିଛି ତାହା ଆଗାମୀ ଦିନରେ ତାଲିକାର ଶୀର୍ଷସ୍ଥାନ ଦଖଲ ପାଇଁ ଦାବିଦାର ହେବାର ଆଶଙ୍କା କରାଯାଇଛି। ସୋମବାର ଗୋଟିଏ ଦିନରେ ଭାରତରେ ୬୯୭୭ ନୂଆ ସଂକ୍ରମିତ ଚିହ୍ନଟ େହାଇଛନ୍ତି। ଏହାଦ୍ବାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୮ହଜାର ୮୪୫ରେ ପହଞ୍ଚିଛି। ସେହିପରି ୨୪ଘଣ୍ଟା ମଧ୍ୟରେ ୧୫୪ଜଣଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୪୦୨୧ରେ ପହଞ୍ଚିଛି। ଭାରତରେ କ୍ରମାଗତ ୪ର୍ଥ ଦିନ ପାଇଁ ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ପାଇଛି। ଏହା ପୂର୍ବରୁ ରବିବାର ୬୭୬୭, ଶନିବାର ୬୬୫୪ ଓ ଶୁକ୍ରବାର ୬୦୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହିସବୁ ସଂକ୍ରମଣ ଦୈନିକ ନୂଆ ସଂକ୍ରମଣରେ ରେକର୍ଡ କରିଥିଲା। ତେବେ ଭାରତରେ ନୂଆ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହିତ ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ଘଟୁଛି।