ବେଙ୍ଗାଲୁରୁ ( ଏଜେନ୍ସି ) : ବିଭିନ୍ନ ରାଜ୍ୟ ସରକାର ପ୍ରବାସରେ ଥିବା ନିଜନିଜ ରାଜ୍ୟର ଅଧିବାସୀଙ୍କ ପାଇଁ ବ୍ୟସ୍ତ । ଓଡ଼ିଶା ସମେତ କିଛି ରାଜ୍ୟ ସରକାର ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଶ୍ରମିକଙ୍କୁ ଫେରାଇ ନେବା ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ କର୍ଣ୍ଣାଟକରେ ଥିବା ଓଡ଼ିଆଙ୍କ ନିମନ୍ତେ ଏକ ବାର୍ତା ଜାରି କରିଛନ୍ତି ସ୍ଥାନୀୟ ପୁଲିସ କମିଶନର ଭାସ୍କର ରାଓ । ସହର ଛାଡ଼ି ନିଜ ରାଜ୍ୟକୁ ଫେରିବାର ଆବଶ୍ୟକତା ନାହିଁ । ତାଲାବନ୍ଦ ଯୋଗୁଁ ଭୟଭୀତ ହୋଇ ଘରକୁ ଚାଲିଯିବାକୁ ଚାହୁଁଥିବା ଲୋକ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ବେଙ୍ଗାଲୁରରେ ରୁହନ୍ତୁ ଓ ସୁରକ୍ଷିତ ରହି ନିଜର ଚାକିରି କରନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର କର୍ଣ୍ଣାଟକରେ କଳକାରଖାନା ଖୋଲିବ ଓ ପୁଣି କାମ ଆରମ୍ଭ ହେବ । ତେଣୁ ସେମାନେ ଆଦୌ ବ୍ୟସ୍ତ ନ ହେବାକୁ ଶ୍ରୀ ରାଓ ପରାମର୍ଶ ଦେଇଛନ୍ତି ।