ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଂକ୍ରମଣକୁ ଆଖିରେ ରଖି ଦେଶବ୍ୟାପୀ ଘୋଷଣା ହୋଇଥିଲା ଲକ୍ଡ଼ାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିନ୍ନ ଆଉ କିଛି ଦୋକାନ ଖୋଲିବାକୁ ବାରଣ କରାଯାଇଥିଲା । ଏହି କ୍ରମରେ ମଦ ଦୋକାନ ବି ବନ୍ଦ ରହିଥିଲା । ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଘୋଷଣା ସମୟରେ ମଦ ଦୋକାନ ଖୋଲିବା ଉପରେ କଟକଣା କିଛିଟା କୋହଳ ହୋଇଛି । ଗ୍ରୀନ୍ ଜୋନରେ ମଦ ଦୋକାନ ଦିନବେଳେ ଖୋଲିବାକୁ ଅନୁମତି ମିଳିଛି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । କୌଣସି ସପିଂ ମଲ କିମ୍ବା ମାର୍କେଟ ଭିତରେ ନରହି ଖୋଲା ସ୍ଥାନରେ ଥିବା ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହିତ ମଦ ଦୋକାନରେ ଏକ ସମୟରେ ୫ ଜଣ ଗ୍ରାହକ ଯାଇ ପାରିବେ ନାହିଁ, ସାମାଜିକ ଦୂରତ୍ବ ବଜାୟ ରହିବ ଓ ସମସ୍ତେ ମାସ୍କ ପରିଧାନ କରିବେ ପରି କିଛିଟା ସର୍ତ ଲାଗୁ କରାଯାଇଥିଲା । କିନ୍ତୁ ଦୋକାନ ଖୋଲିବା ପରେ ଲୋକ ମାନୁନାହାନ୍ତି ନିୟମ, ଦୋକାନୀ ମାନୁନାହାନ୍ତି ସର୍ତ । ଏହାପରେ ଯେଉଁଠି ମଦ ଦୋକାନ ଖୋଲିଛି ସେଠାରେ ଲାଗିଛି ମାଇଲ ମାଇଲ୍ ଲମ୍ବା ଲାଇନ । ଦିଲ୍ଲୀରେ ମଦ ଦୋକାନ ସମ୍ମୁଖରେ ଧାଡ଼ି ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଆଜି ଦେଖାଯାଇଛି । ମଦ ଆସକ୍ତି ଲୋକଙ୍କୁ ଘଣ୍ଟାଘଣ୍ଟା ଖରାରେ ଠିଆ କରାଇବାକୁ ବାଧ୍ୟ କରିଛି ।